Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀତି କାନ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବାପୂଜା ଓ ପର୍ବ ଉତ୍ସବ ଆଦିର ସମଗ୍ର ବିଧି ବ୍ୟବସ୍ଥା ମହାରାଜ ଇନ୍ଦ୍ରଦ୍ୟୁମ୍ନ ହିଁ ପ୍ରଚଳନ କରିଥିଲେ। କୁହାଯାଏ ବେଦବ୍ୟାସ ବିରଚିତ ସ୍କନ୍ଦ ପୁରାଣ ବର୍ଣ୍ଣନା ଅନୁସାରେ ସ୍ୱୟଂ ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସାକ୍ଷାତ ନିର୍ଦ୍ଦେଶ ବଳରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଏହି ବିଧି ବ୍ୟବସ୍ଥା ନିର୍ଣ୍ଣୟ କରିଥିଲେ। ପରମକାରୁଣିକ ଲୀଳାମୟ ମହାପ୍ରଭୁଙ୍କ ଦୈନନ୍ଦିନ ଦିନଚର୍ଯ୍ୟାକୁ ବର୍ତ୍ତମାନ ଶ୍ରୀମନ୍ଦିରରେ ନୀତି କାନ୍ତିର ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୀତି ପ୍ରତ୍ୟୁଷରେ ଦ୍ୱାର ଫିଟାଠାରୁ ଆରମ୍ଭ କରି ରାତ୍ରିରେ ପହୁଡ଼ ପର୍ଯ୍ୟନ୍ତ ଚାଲିଥାଏ । ଆମେ ପ୍ରତ୍ୟେକ ନୀତିଗୁଡ଼ିକ ପୂଜା ବିଧି ସହ ବର୍ଣ୍ଣନା କରିବା ପୂର୍ବରୁ ଏକ ବିଶେଷ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। କାରଣ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ପରି ଏତେ ବ୍ୟାପକ ଓ ବିସ୍ତୃତ ନୀତି କାନ୍ତି କେଉଁ ଠାକୁରଙ୍କ ପାଖରେ ହେବାର ନଜିର ନାହିଁ। ଏହିପରି ବ୍ୟାପକ ତଥା ବିସ୍ତୃତ ନୀତିକୁ ଶ୍ରଦ୍ଧା, ଭକ୍ତି ଓ ସମର୍ପଣ ଭାବ ନେଇ ସେବକ ବା ଭକ୍ତ ପାଳନ କଲେ ପରମ ଆନନ୍ଦ ଲାଭ କରିଥାଏ। ଏହା ଦ୍ୱାରା ନିଜର ଉନ୍ନତି ସାଧନା କରିବା ସହ ଜଗତ କଲ୍ୟାଣ ମଧ୍ଯ ହୋଇଥାଏ। ଆମେ ଆଗରୁ ଆଲୋଚନା କରିଛେ ଯେ ମୂଳ ପୀଠ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ଏଭଳି ବ୍ୟାପକ ଓ ବିସ୍ତୃତ ନୀତି କାନ୍ତି ପାଳନ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର। ତଥାପି ଶାସ୍ତ୍ର ପ୍ରକାରେ ବିଧି ବିଧାନ ସହିତେ ସମସ୍ତ ନୀତି କାନ୍ତି ଓ ପର୍ବ, ଉତ୍ସବ ପାଳନ କରିବା ବିଧେୟ। ଅନ୍ତତଃ ଆବଶ୍ୟକୀୟ ସମସ୍ତ ନୀତି ସେବା, ପୂଜା, ଭୋଗ ଓ କିଛି ବେଶ ମୂଳ ପୀଠ ଅନୁସରଣରେ ହେବା ନିହାତି ଆବଶ୍ୟକ। ଅନ୍ୟଥା ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା, ମାହାତ୍ମ୍ୟ ଓ ପରମ୍ପରାରେ ନିଶ୍ଚିତ ବ୍ୟାଘାତ ହୋଇ ସେବକ ତଥା ସଂସାରର କଲ୍ୟାଣ ପରିବର୍ତ୍ତେ, ଧର୍ମର ବିନାଶ ଘଟିବ। ସେଥିପାଇଁ ଅlମର ଏହି ଛୋଟ ପ୍ରୟାସ। ଆଗାମୀ ଅଧ୍ୟାୟରେ ଦୈନିକ ନୀତିର ଆଲୋଚନା ଜାରି ରହିବ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଦୟା ପ୍ରାଣୀଙ୍କ ଭୟ ହରେ
ତ୍ରିତାପ ସମାଧି ସଂହlରେ ।
ସଂଯମ ଦେହ ବ୍ୟାଧି ହରେ
ନିଦ୍ରାକୁ ସାତ୍ଵିକ ଆହାରେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.