Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରଥଯାତ୍ରାର ବିବରଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ବର୍ଷଯାକର ରୀତିନୀତି ମାସ ଅନୁସାରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଷାଢ଼ ମାସର ବିଭିନ୍ନ ପର୍ବ ପର୍ବାଣୀ ବିଷୟରେ କେବଳ ଏହାର ତିଥି ଇତ୍ୟାଦି ଜାଣିଲେ, ତଥାପି ଆଷାଢ଼ ମାସର ମୂଖ୍ୟ ପର୍ବ ରଥଯାତ୍ରାର ବିବରଣୀ ନଜାଣିଲେ ମାସଟି ଅଧୁରା ରହିଯିବ।

ରଥଯାତ୍ରା :-ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜୀଉମାନଙ୍କ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚତୁର୍ଦ୍ଧା ମୂର୍ତ୍ତି ତିନୋଟି ରଥ ଚଢି ଜନ୍ମ ବେଦୀ ବା ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କିଛି ମନ୍ଦିରରେ ରଥ ନିର୍ମାଣ ନହୋଇ କେବଳ ଠାକୁରମାନଙ୍କୁ ପହଣ୍ଡିରେ ନେଇ ଅନ୍ୟ ଏକ ମଣ୍ଡପରେ ଉପରେ ଉପବେଶନ କରାଇ ବିଭିନ୍ନ ସ୍ୱାଦିଷ୍ଟ ମଣୋହି କରି ପୁନଃ ମନ୍ଦିରକୁ ଫେରାଇ ଅଣାଯାଏ।

ହେରା ପଞ୍ଚମୀ :- ରଥଯାତ୍ରାର ପଞ୍ଚମ ଦିନ, କିନ୍ତୁ ଆଷାଢ଼ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ନୀତି ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରୁ ମା ମହାଲକ୍ଷ୍ମୀ ବାହାରି ଗୁଣ୍ଡିଚା ମନ୍ଦିରଠାରେ ଏହି ନୀତି ସମ୍ପନ୍ନ କରନ୍ତି। ରାଗରେ ମା ପ୍ରଭୁଙ୍କୁ ଦର୍ଶନ କରିନପାରି ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗି ପୁଣି ଶ୍ରୀମନ୍ଦିର ଲେଉଟି ଆସନ୍ତି।

ସନ୍ଧ୍ୟା ଦର୍ଶନ :-ଆଷାଢ଼ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଶ୍ରୀଜୀଉମାନଙ୍କୁ ଆଡପ ମଣ୍ଡପରେ ସନ୍ଧ୍ୟା କାଳରେ ଦର୍ଶନ ବ୍ୟବସ୍ଥାକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଗୁଣ୍ଡିଚା ମନ୍ଦିରରେ ଏହା ଶେଷ ଦର୍ଶନ ହୋଇଥାଏ। ନୀଳାଦ୍ରି ମହୋଦୟ ଅନୁସାରେ ଏହି ଦର୍ଶନରେ ମିଳୁଥିବା ପୁଣ୍ୟ ଦଶବର୍ଷର ଶ୍ରୀମନ୍ଦିରରେ ଦର୍ଶନ ସହ ସମାନ।

ବାହୁଡା଼ ଯାତ୍ରା :- ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପହଣ୍ଡିରେ ଆସି ରଥାରୁଢ଼ ହେବାପରେ ପୁଣି ଶ୍ରୀମନ୍ଦିରକୁ ବାହୁଡ଼ିବାକୁ ବାହୁଡା଼ ଯାତ୍ରା କହିଥାଉ।

ସୁନାବେଶ :- ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରଥାରୁଢ଼ ଶ୍ରୀଜୀଉମାନଙ୍କ ସନ୍ଧ୍ୟା ଆଳତି ସରିବା ପରେ ଆରମ୍ଭ ହୁଏ ସୁନାବେଶ। ମହଣ ମହଣ ସୁନାଅଳଙ୍କାରରେ ସଜ୍ଜିତ ହୁଅନ୍ତି ଶ୍ରୀଜୀଉମାନେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ବେଶ ରହିବା ପଟେ ଓଲାଗି ହୋଇଥାଏ।

ଅଧରପଣା :- ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି ରଥ ଉପରେ ପାଳିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ପାର୍ଶ୍ଵ ଦେବା ଦେବୀ ଓ ଅଶାରୀରିମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଅର୍ପଣ ହୁଏ।

ନୀଳାଦ୍ରି ବିଜେ :-ଆଷାଢ଼ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନେ ପୁଣି ରତ୍ନ ସିଂହାସନକୁ ଫେରନ୍ତି। ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଏହି ନୀତି ସମ୍ପନ୍ନ ହୋଇଥାଏ।

ହରି ଶୟନ ଏକାଦଶୀ : ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହି ନୀତି ହୋଇଥାଏ। ଭଣ୍ଡାର ଘରେ ଥିବା ତିନି ଶୟନ ଠାକୁରଙ୍କୁ ଆଣି ଏହି ନୀତି ହୋଇଥାଏ।

ଗରୁଡ଼ ଶୟନ :- ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ମଧ୍ୟରେ ଏହି ନୀତି ଅନୁଷ୍ଠିତ ହୋଇଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରାବଣ ମାସ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ବିଦ୍ୟା ପଠନ କଲେ ଜାଣ
ନିଶ୍ଚେ ଶୁଝନ୍ତି ଋଷି ଋଣ।
. ପୁତ୍ର ପୌତ୍ର ଜାତ ହେଲେ
ପିତୃ ଙ୍କ ଋଣ ଶୁଝେ ଭଲେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.