ହାଟଡିହି: ପଥର ହସିଲେ ଜୀବନ ହସେ, ପରିବାର ହସେ । ପଥର କଥା କହିଲେ ପରିବାରର ପେଟ ପୂରେ । ତେଣୁ ପଥରରେ ଜୀବନ ଦେବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି । ପଥରରେ ଜୀବନର ସୁଖଦୁଃଖର ବାର୍ତ୍ତା ଦେବା ପାଇଁ । ଆମେ କହୁଛୁ ସେଇ ପଥର କାରିଗରଙ୍କ କଥା । ବଜାରରେ ସୁନ୍ଦର ସୁନ୍ଦର ପଥର ପ୍ରତିମୂର୍ତ୍ତିକୁ ଦେଖିଲେ ଆମେ କିଣି ନେଉ ଘର ସଜାଇବା ପାଇଁ । ହେଲେ ଏ ନୀର୍ଜିବ ପଥରକୁ ଯିଏ ଏତେ ସୁନ୍ଦର ରୂପ ଦେଇପାରିଛି ତାର ଜୀବନ କେତେ ସଂଘର୍ଷ ଭିତରେ କଟୁଛି କେହି ଜାଣନ୍ତିନି ।
କେନ୍ଦୁଝର ଜିଲ୍ଲା ନନ୍ଦପୁର ଉପଖଣ୍ଡ ଧକୋଠା ଗାଁ ର ୩୫ବର୍ଷୀୟ ଦିଲ୍ଲିପ ମହାନ୍ତ । ସେ ଜଣେ ପଥର କାରିଗର । ତାଙ୍କ ହାତର ସ୍ପର୍ଶରେ ଅସୁନ୍ଦର ପଥର ସୁନ୍ଦର ପ୍ରତିମୂର୍ତ୍ତି ପାଲଟିଯାଏ । ନିର୍ଜୀବ ପଦାର୍ଥଟା ଜୀବନ୍ତ ଦିଶେ । ହେଲେ ଏହି ସଫଳତା ପଛରେ ତାଙ୍କର ଯେଉଁ ସଂଘର୍ଷର କାହାଣୀ ରହିଛି ତାହା ପ୍ରକୃତରେ ହୃଦୟସ୍ପର୍ଶୀ । ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ଦିଲ୍ଲୀପ । ଦୁଇ ଗୋଡ଼ରେ ଚାଲି ପାରନ୍ତିନି । ସେଥିପାଇଁ ପିଲାବେଳେ ପାଠପଢାରୁ ବଞ୍ଚିତ ହୋଇଥିଲେ । ପିଲା ଦିନରୁ ଗାଁ ସ୍କୁଲରେ ପାଠ ପଢି ଆଗକୁ ବଢ଼ିବାରେ ଇଚ୍ଛା ଥିଲେବି ସ୍କୁଲ ଯିବାଆସିବା ପାଇଁ ସାହାସ ନ ଥିଲା ତାଙ୍କର।
ଠିକ ଏତିକିବେଳେ ତାଙ୍କୁ ସହାୟତାର ହାତ ବଢାଇଥିଲେ ଘଷିପୁରା ଉପଖଣ୍ଡ ଅଳତି ଗାଁ ର ପ୍ରମୋଦ ବରାଳ । ସ୍ୱାବଲମ୍ବୀ ହେବେ, ରୋଜଗାର କରି ସ୍ୱାଭିମାନର ସହ ବଞ୍ଚିବେ । ଏହି ଉଦ୍ଦେଶ୍ୟ ନେଇ ସେ ପ୍ରମୋଦ ବରାଳଙ୍କ ଏକ ପଥର ମୂର୍ତ୍ତି କାରୁକାର୍ଯ୍ୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ରେ ଯୋଗ ଦେଇଥିଲେ। ସେଠାରେ ସେ କିଛିଦିନ ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ପଥର ଖୋଦେଇ କରିବାରେ ଦକ୍ଷତା ଅର୍ଜନ କରିଲେ । ଏବେ ସେ ସୁନ୍ଦର ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଅନ୍ୟ ମହାପୁରୁଷ ଓ ସମାଜ ସେବକ ମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ଖାଲି ନିଜେ ନୁହେଁ, ଅନ୍ୟମାନଙ୍କୁ ବି ସେ ଦେଇଛନ୍ତି ରୋଜଗାର । ସେ ଏକ ତାଲିମ କେନ୍ଦ୍ର ଖୋଲି ପ୍ରାୟତଃ ୨୦୦ଶହରୁ ଅଧିକ ଯୁବକଙ୍କୁ ସେ ତାଙ୍କ ନିକଟରେ ଏହି କଳା ଶିକ୍ଷାର ତାଲିମ ଦେଉଛନ୍ତି ।
ଦୃଢ ଇଚ୍ଛା ଶକ୍ତି ଦିଲ୍ଲୀପଙ୍କୁ ଦେଇଛି ସମ୍ମାନ ଏବଂ ସ୍ୱାଭିମାନର ସହ ବଞ୍ଚିବାର ପ୍ରେରଣା । ସେ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ।
Comments are closed.