Latest Odisha News

BREAKING NEWS

ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା;ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ କରି ପାରିବେ ଦର୍ଶନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି I

ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଛି । ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥିନେଇ ଆଲୋଚନା ହୋଇଥିଲା । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇ ପାରିବ । ଏଥି ସହିତ ଭକ୍ତ ମାନେ ୫ ଟି ଅଲଗା ଅଲଗା ରାମ୍ପ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ । ଫଳରେ ପ୍ରତି ଏକ ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଭକ୍ତ / ଶ୍ରଦ୍ଧାଳୁ ଶୃଙ୍ଖଳିତ ଦର୍ଶନ କରି ପାରିବେ । ଏହାର ସଠିକ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଏକ ପାଇଲଟ ମଡେଲ ପ୍ରସ୍ତୁତ କରାଯିବା ସହିତ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କାରାଯିବ । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବା ନେଇ ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଏହି ବୈଠକରେ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.