Latest Odisha News

ଆଡିଲେଡ ଦିବାରାତ୍ର ଟେଷ୍ଟ: ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ

ଆଡିଲେଡ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଦିବାରାତ୍ର ଏବଂ ଗୋଲାପୀ ବଲରେ ଏହା ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମନରେ ଏ ନେଇ ବେଶ ଉତ୍କଣ୍ଠା ରହିଛି । ତେବେ ଦିବାରାତ୍ର ଟେଷ୍ଟରେ ବୋଲରଙ୍କ ପ୍ରାଧାନ୍ୟ ରହିଥିବାରୁ ମ୍ୟାଚରେ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ । ୯ ବର୍ଷ ମଧ୍ୟରେ ୨୨ଟି ଦିବାରାତ୍ର ଟେଷ୍ଟ ଖେଳାଯାଇଛି । ସମସ୍ତ ମ୍ୟାଚର ଫଳାଫଳ ବାହାରିଛି । ୭୩ ପ୍ରତିଶତ ମୁକାବିଲାର ଫଳାଫଳ ୪ରୁ କମ ଦିନ ମଧ୍ୟରେ ଶେଷ ହୋଇଯାଇଛି । ୬ଟି ଟେଷ୍ଟ ୫ ଦିନ ଖେଳାଯାଇଛି ।

୨୦୧୫ରେ ପ୍ରଥମ ଆନ୍ତର୍ଜାତୀୟ ଦିବାରାତ୍ର ଟେଷ୍ଟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଡିଲେଡରେ ଖେଳା ଯାଇଥିଲା । ଅଷ୍ଟ୍ରେଲିଆ ୩ ୱିକେଟରେ ବିଜୟ ହାସଲ କରିଥିଲା । ସେବେଠାରୁ ଅଷ୍ଟ୍ରେଲିଆ ୧୨ଟି ଦିବାରାତ୍ର ମ୍ୟାଚ ଖେଳି ୧୧ରେ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜଠାରୁ ଦଳ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ଅପରପକ୍ଷରେ ଭାରତ ୪ଟି ଦିବାରାତ୍ର ମ୍ୟାଚ ଖେଳି ୩ରେ ବିଜୟ ହାସଲ କରିଛି । ଭାରତ ବିରାଟ କୋହଲିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ନିକଟରୁ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି । ୨୦୧୯ରେ ପ୍ରଥମ ଦିବାରାତ୍ର ମ୍ୟାଚରେ ଭାରତ ୩ ଦିନରେ ବାଂଲାଦେଶକୁ ପରାସ୍ତ କରିଥିଲା । ୨୦୨୧ ଫେବୃୟାରୀରେ ଭାରତ ୨ ଦିନରେ ଇଂଲଣ୍ଡକୁ ହରାଇ ଦେଇଥିଲା । ସେହିପରି ୨୦୨୨ରେ ଟିମ ଇଣ୍ଡିଆ ୩ ଦିନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ।

ଦିବାରାତ୍ର ଟେଷ୍ଟରେ ଆଜି ପର୍ଯ୍ୟନ୍ତ ୨୭ ଶତକ ବ୍ୟାଟ୍ସମ୍ୟାନ ମାରିଛନ୍ତି । ଅଷ୍ଟ୍ରେଲିଆର ମାର୍ଲନ ଲାବୁଶେନ ସର୍ବାଧିକ ୪ ଶତକ ହାସଲ କରିଛନ୍ତି । ଅସଦ ଶଫିକ, ଦିମୁଥ କରୁଣାରତ୍ନେ ଓ ଟ୍ରେଭିସ ହେଡ ୨ଟି ଲେଖାଏଁ ଶତକ ମାରିଛନ୍ତି । ବିରାଟ କୋହଲି ଭାରତର ଏକମାତ୍ର ଖେଳାଳି ଭାବେ ପିଙ୍କ ବଲ ଟେଷ୍ଟରେ ଶତକ ମାରିଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭରାଲ ୧୦୮ ଟେଷ୍ଟ ମ୍ୟାଚ ଖେଳାଯାଇଛି । ଭାରତ ୩୩ ଓ ଅଷ୍ଟ୍ରେଲିଆ ୪୫ ମ୍ୟାଚରେ ବିଜୟ ହାସଲ କରିଛି । ୨୯ ଟେଷ୍ଟ ଡ୍ର ରହିଥିବା ବେଳେ ଗୋଟିଏ ଟେଷ୍ଟ ଟାଇ ରହିଛି । ଅଷ୍ଟ୍ରେଲିଆରେ ଉଭୟ ଦେଶ ମଧ୍ୟରେ ୫୩ ଟେଷ୍ଟ ଖେଳାଯାଇଛି । ଅଷ୍ଟ୍ରେଲିଆ ୩୦, ଭାରତ ୧୦ ଟେଷ୍ଟ ଜିତିଥିବା ବେଳେ ୧୩ ଟେଷ୍ଟ ଡ୍ର ରହିଛି ।

Leave A Reply

Your email address will not be published.