Latest Odisha News

BREAKING NEWS

ସଫଳତାର ସହିତ ଶେଷ ହେଲା ‘ପିଙ୍କାଥନ୍’, ସଚେତନତା ଲାଗି ୫ କିଲୋମିଟର ଦୌଡ଼ିଲେ ମହିଳା

ଭୁବନେଶ୍ୱର: ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଲାଗି ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ‘ପିଙ୍କାଥନ୍’ । ଏହି ୫ କିଲୋମିଟର୍ ବ୍ୟାପୀ ମାରାଥନ୍ ଦୌଡ଼ରେ ପ୍ରାୟ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ସବୁବର୍ଗର ମହିଳାମାନେ କିପରି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଅନ୍ୟ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି କିପରି ସଚେତନତା ସୃଷ୍ଟି କରିପାରିବେ ଏହି ପିଙ୍କାଥନର ମୁଖ୍ୟ ଉଦ୍ଦେଶ୍ୟ ।

ରାଜଧାନୀର କିଟ୍ ଛକରୁ ସକାଳ ୬ଟା ସମୟରେ ଏହି ମାରାଥନ ଆରମ୍ଭ ହୋଇଥିଲା । ଏହି ପିଙ୍କାଥନରେ ଅଂଶଗ୍ରହଣ କରିଥିବା ସମସ୍ତ ମହିଳାମାନେ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଦେଇ ପୁନର୍ବାର କିଟ୍ ଛକରେ ପହଞ୍ଚିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଆଜିର ଦିନରେ ‘ୟୁନାଇଟେଡ୍ ସିଷ୍ଟର୍ସ ଫାଉଣ୍ଡେସନ’ ଦ୍ୱାରା ଏହି ପିଙ୍କାଥନ୍ ଆରମ୍ଭ ହୋଇଥିଲା । ଭାରତର ଏହି ବୃହତ୍ତମ ମହିଳା ମାରାଥନର ପ୍ରତିଷ୍ଠାତା ହେଲେ ମିଲିନ୍ଦ୍ ସୁମନ ଏବଂ ରୀମା ସାଙ୍ଗଭୀ । ରବିବାର ଦିନ ଭାରତ ସମେତ ଅନେକ ଦେଶରେ ଏହି ‘ପିଙ୍କାଥନ୍’ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ୫ଟି ଦେଶର ପ୍ରାୟ ୧୨,୦୦୦ ମହିଳା ଏହି ପିଙ୍କାଥନରେ ଅଂଶଗ୍ରହଣ କରିଥିଲେ ।

ମହିଳାମାନଙ୍କର ସ୍ତନ କର୍କଟ ସହିତ ବିଭିନ୍ନ ରୋଗ ପ୍ରତି ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏହି ପିଙ୍କାଥନର ସୃଷ୍ଟି ହୋଇଛି ବୋଲି ଆୟୋଜକ ମତ ପୋଷଣ କରିଛନ୍ତି । ରାଜଧାନୀରେ ଅନୁଷ୍ଠିତ ହୋଇଥିବା ଏହି ପିଙ୍କାଥନକୁ ପିଙ୍କାଥନ୍ ଆମ୍ବାସଡର୍ ମୌସୁମୀ ମିଶ୍ର ପତାକା ଦେଖାଇ ଉଦଘାଟନ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମହିଳା ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଏବଂ ଜାତୀୟ ସଟପୁଟର୍ ଅଂଶିକା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.