Latest Odisha News

BREAKING NEWS

ପୀତବାସ ହତ୍ୟା ମାମଲା, ଅଭିଯୁକ୍ତଙ୍କର ପୁଣି ହେବ ଟିଆଇ ପରେଡ

ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କର ପୁଣି ହେବ ଟିଆଇ ପରେଡ। କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତଙ୍କର ଟିଆଇ ପରେଡ ହେବ। ଏଥିପାଇଁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଞ୍ଚିଛନ୍ତି JMFC ଓ ଟାଉନ ଏସଡିପିଓ । ଆଜି ଆକାଶ ବିଷୋୟୀ ଓ ଏନ୍.କିରଣ କୁମାରଙ୍କୁ ସାକ୍ଷୀ ରୂପେ ନେଇ ମାଜିଷ୍ଟ୍ରେଟ୍, ଜେଲର ଓ ଏସଡିପିଓଙ୍କ ଉପସ୍ଥିତିରେ ଟିଆଇ ପରେଡ କରାଯିବ ।

ଗତ ଶନିବାର ଏହି ମାମଲାର ଅଭିଯୁକ୍ତ ଶିଶୁପାଲ ପାଶ୍ବାନ, ସୀମାଞ୍ଚଳ ନାୟକ, କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ଉମା ଶଙ୍କର ବିଶୋୟୀ ପ୍ରମୁଖଙ୍କର ଟିଆଇ ପରେଡ ହୋଇଥିଲା। ବିଜୟ ଓ ଲକ୍ଷ୍ମଣ ନାମକ ଦୁଇ ସାକ୍ଷୀଙ୍କୁ ନେଇ ଟିଆଇ ପରେଡ କରାଯାଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଚିଣ୍ଟୁ ପ୍ରଧାନ ଘଟଣା ରାତିରେ ବାଇକ ଚଲାଉଥିବା ବେଳେ କୁରୁପତି ଭୂୟାଁ ପୀତବାସଙ୍କ ଉପରକୁ ଗୁଳି ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବ୍ରହ୍ମପୁର ଏସପି ।

ଏହି ହତ୍ୟା ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଣ୍ଡଳ କାରାଗାରକୁ ପଠାଇଛି। ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କୁ ଫୁଲବାଣୀ କାରାଗାରକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ବ୍ରହ୍ମପୁର କାରାଗାରରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ ସମେତ ମୋଟ ୧୫ ଜଣ ଅଛନ୍ତି ।

Comments are closed.