କଟକ: ବ୍ରହ୍ମପୁର ଏସ୍ପି ଡାକ୍ତର ସରଭଣା ବିବେକ ଏମ୍ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍ପି। ମନ୍ତବ୍ୟକୁ ନେଇ ବ୍ରହ୍ମପୁର ଏସ୍ପିଙ୍କୁ ଜବାବ ତଲବ କଲେ ହାଇକୋର୍ଟ।
ଏସ୍ପିଙ୍କ ବୟାନକୁ କାହିଁକି ଅଦାଲତ ଅବମାନନା ଭାବେ ଧରାନଯିବ ପ୍ରଶ୍ନ କଲେ। ଏନେଇ ଆସନ୍ତା ୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀତବାସ ହତ୍ୟାର ପ୍ରେସ୍ମିଟରେ ନିର୍ବାଚନ ମାମଲା କଥା ଉଠାଇଥିଲେ ଏସ୍ପି। ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ୍ ଲିଙ୍କ ଥିବା କହିଥିଲେ ଏସ୍ପି। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା କମନ୍ ଲିଙ୍କ ଥିଲା କହିଥିଲେ। ଶିବ ଶଙ୍କର ମାମଲା କରିଥିଲେ, ବିକ୍ରମ ଖର୍ଚ୍ଚ ବହନ କରୁଥିଲେ ବୋଲି କହିଥିଲେ ଏସ୍ପି।
ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ନିଜ ଉତ୍ତର ରଖିବେ ଏସ୍ପି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶିବଶଙ୍କର ଦାଶଙ୍କ ଘରେ କାମ କରୁଥିବା ଜଣେ ସହାୟକଙ୍କ ନାଁରେ ଏକ ହତ୍ୟା ମାମଲା ଦାୟର କରାଯାଇଥିଲା। ବାସ୍ତବରେ ଶିବଶଙ୍କର ଦାଶ ନିଜେ ଏହି ମାମଲା ଦାୟର କରିଥିଲେ। ମାମଲା ପାଇଁ ଆଇନଗତ ଖର୍ଚ୍ଚ ଓ ଆଇନଜୀବୀଙ୍କ ଫି’ ବିକ୍ରମ ପଣ୍ଡା ବହନ କରୁଥିଲେ ବୋଲି ଏସ୍ପି କହିଥିବା ଏହି ଖବରରେ ଉଲ୍ଲେଖ କରାଯାଇଥିଲା। ଯଦି ଏହା ସତ ହୋଇଥାଏ, ତେବେ ଏସ୍ପିଙ୍କ ଭଳି ବରିଷ୍ଠ ପୋଲିସ ଅଧିକାରୀ ସର୍ବସାଧାରଣରେ କୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ସଂକ୍ରାନ୍ତରେ ଟିପ୍ପଣୀ ଦେବା ଉଦ୍ବେଗର ବିଷୟ ବୋଲି ହାଇକୋର୍ଟ କହିଛନ୍ତି।
Comments are closed.