Latest Odisha News

BREAKING NEWS

ପୀତବାସ ପଣ୍ଡା ହତ୍ୟା ମାମଲା: ମାରିବା ପାଇଁ ହୋଇଥିଲା ୫୦ ଲକ୍ଷର ଡିଲ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସପିଙ୍କ ବଡ଼ ଖୁଲାସା। ହତ୍ୟା ମାମଲା ଉପରୁ ହଟିଲା ପରଦା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ । ବିହାରରୁ ଆସିଥିଲେ ହତ୍ୟାକାରୀ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ ପୀତବାସଙ୍କୁ ରେକି କରିଥିଲେ, ତା ପରେ କେଉଁଠୁ ହତ୍ୟା କରିବେ କେମିତି ହତ୍ୟା କରିବେ ତାର ମାଷ୍ଟର ପ୍ଲାନ୍ ବନାଇଥିଲେ।

ପ୍ରେସମିଟ୍‌ରେ ବ୍ରହ୍ମପୁର ଏସପି ଦେଉଥିବା ସୂଚନା ଆଧାରରେ, ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ଏଥିପାଇଁ ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ହତ୍ୟା ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ ପରେ ନୂଆ ପ୍ୟାଣ୍ଟସାର୍ଟ ପିନ୍ଧି ସାମ୍ନାକୁ ଆସିଥିଲେ। ପୀତବାସଙ୍କୁ ନମସ୍କାର ପକାଇ ଗୁଳି କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ତେବେ ପୀତବାସଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୩ଥର ଉଦ୍ୟମ କରିଥିଲେ କିନ୍ତୁ ଫେଲ୍ ମାରିଥିଲେ । କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ହତ୍ୟାକାରୀ ।

ପ୍ରି ପ୍ଲାନ ମୁତାବକ ପିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ଉମା ବିଷୋୟୀ ପାଖରେ ସବୁ ଡିଲ୍‌ ଟଙ୍କା ରହିଛି। ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି। ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଆଉ ୩ ଫେରାର ଅଛନ୍ତି।

ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ ଭ୍ୟାନ୍‌ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ ।

Comments are closed.