Latest Odisha News

ପୁଟିନଙ୍କୁ ହତ୍ୟା କରିବାକୁ ଯୋଜନା? ଏଫଏସବି ମୁଖ୍ୟାଳୟ ନିକଟରେ କାରରେ ବିସ୍ଫୋରଣ

ମସ୍କୋ: ମସ୍କୋରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାରକାଡରେ ଥିବା ଏକ ଦାମୀ ଲିମୋଜିନ କାରରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଘଟଣା ମସ୍କୋର ଏଫଏସବି (ରୁଷର ଗୁପ୍ତଚର ସଂସ୍ଥା) ମୁଖ୍ୟାଳୟ ବାହାରେ ହୋଇଛି। ସୌଭାଗ୍ୟବଶତଃ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ବିସ୍ଫୋରଣ ପରେ କାରଟିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଇଞ୍ଜିନରୁ ନିଆଁ ବାହାରିଥିଲା, ଯାହା ଧୀରେ ଧୀରେ ପୂରା କାରଟିକୁ ପାଉଁଶ କରିଦେଇଛି।

ଏହି ଘଟଣାରେ କାରର ଏକ ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଏହି ବିସ୍ପୋରଣ କୌଣସି ଷଡ଼ଯନ୍ତ୍ରର ଅଂଶ ବୋଲି ସନ୍ଦେହ କରାଯାଉଛି । ଏଯାଏ କାହାର ନାଁ ସାମ୍ନାକୁ ଆସି ନାହିଁ। ଏପରି ପରିସ୍ଥିତିରେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠୁଛି – ପୁଟିନଙ୍କ ବିରୋଧରେ ଏହି ଷଡ଼ଯନ୍ତ୍ର କିଏ କରିଥିଲା? ଏହାର ଯୁକ୍ରେନ ଯୁଦ୍ଧ ସହ କିଛି ଲିଙ୍କ୍ ରହିଛି କି?

ନିକଟରେ ଯୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁଟିନଙ୍କ ବିଷୟରେ ଏକ ବୟାନ ଦେଇଥିଲେ। ଦୁଇ ଦିନ ପୂର୍ବେ ସେ କହିଥିଲେ ଯେ ପୁଟିନଙ୍କର ମୃତ୍ୟୁ ଖୁବ୍ ଶୀଘ୍ର ହେବ। କିଏଭ୍ ଇଣ୍ଡିପେଣ୍ଡେଣ୍ଟ ଅନୁସାରେ, ଜେଲେନସ୍କି ୨୬ ମାର୍ଚ୍ଚରେ ପ୍ୟାରିସରେ କିଛି ଇଉରୋପୀୟ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଥିଲେ। ପୁଟିନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଚର୍ଚ୍ଚା ମଧ୍ୟରେ ଏହି ମନ୍ତବ୍ୟ ଆସିଥିଲା। ୭୨ ବର୍ଷୀୟ ପୁଟିନ ବିଭିନ୍ନ ରୋଗରେ ପୀଡ଼ିତ ବୋଲି କୁହାଯାଉଛି। ଗତ ବର୍ଷ ତାଙ୍କୁ ହୃଦରୋଗ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ରୁଷ ଓ ଯୁକ୍ରେନ ମଧ୍ୟରେ ଗତ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ କେବେ ହେବ, ତାହା ଏଯାଏ ସ୍ପଷ୍ଟ ନାହିଁ। ଏହି ଯୁଦ୍ଧରେ ପୁଟିନଙ୍କ ବିଜୟ ହୋଇନାହିଁ କି ଜେଲେନସ୍କିଙ୍କ ପରାଜୟ। ଏହା ଆହୁରି କେତେ ଦିନ ଚାଲିବ ନା ଶୀଘ୍ର ଶେଷ ହେବ, ତାହା କହିବା କଷ୍ଟକର  । ତେବେ ଆମେରିକାରେ ଟ୍ରମ୍ପ ସରକାର ଆସିବା ପରେ ଯୁଦ୍ଧ ବନ୍ଦ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ହେଉଥିବା ଦେଖିବାକୁ ମିଳିଛି ।

Comments are closed.