Latest Odisha News

BREAKING NEWS

PDSରେ ପ୍ଲାଷ୍ଟିକ ଚାଉଳ ! କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ବିଚାରରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି । ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି । ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି ।

ମାତ୍ର ନିକଟରେ କୋରାପୁଟ ଜିଲ୍ଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲ୍ଲାର ବଡବାହାଲ ଠାରେ ପିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପ୍ରାର୍ଥକ୍ୟ ରହିଥିବା କୁହାଯାଉଛି । ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳି ଓ ସ୍ୱାଦ ମଧ୍ୟ ଭିନ୍ନ ରହୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି । ଏହା ଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟମରେ ନିଜ ସ୍ୱାସ୍ଥ୍ୟ ନେଇ ଚିନ୍ତାପ୍ରକାଶ ପାଇଛି ।

ଅପରପକ୍ଷରେ ଜାନୁଆରୀ ମାସରୁ ପୁଷ୍ଟି ଏବଂ ଭିଟାମିନ୍ ଯୁକ୍ତ ଚାଉଳ ପିଡିଏସରେ ପ୍ରଦାନ କରାଯାଉଥିବା ଚାଉଳ ସହ ମିଶାଯାଇ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି । ଚାଉଳର ସ୍ୱାଦ ଓ ଦାନା ଭିନ୍ନ ଥିବାରୁ ହିତାଧିକାରୀଙ୍କ ମନରେ ସମ୍ଭବତଃ ଦ୍ୱନ୍ଦ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି । ସାଧାରଣ ଯୋଗାଣ ବିଭାଗ ଦ୍ୱାରା ଏହାକୁ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଏହି ବିଷୟର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହାସହ ହିତାଧିକାରୀଙ୍କ ମଧ୍ୟରେ ପିଡିଏସରେ ଦିଆଯାଉଥିବା ପୁଷ୍ଟିଯୁକ୍ତ ଚାଉଳର ସନ୍ଦେହକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.