Latest Odisha News

ପୁରୀ ବେଳାଭୂମି ଉପରେ ପ୍ଲଟିଂ: ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି

ପୁରୀ: ବେଳାଭୂମିକୁ ବି ବିକ୍ରି କରିବାକୁ ପଛେଇଲେନି ମାଫିଆ। ଖଣ୍ଡଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ମାଫିଆ। ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ କରିବା ପାଇଁ ଶହଶହ ହଳଦିଆ ଖୁଣ୍ଟି ପୋତାଯାଇଛି।ଏପରିକି ଜୁଆର ମାଡ ହେଉଥିବା ସ୍ଥାନରେ ବି ଚାଲିଛି ନିର୍ମାଣ କାର୍ଯ୍ୟ । ତେବେ ଏହା ପଛରେ ବଡ଼ବଡ଼ ଜମି ମାଫିଆମାନଙ୍କ ହାତ ରହିଥିବା କୁହାଯାଉଛି। ପୁରୀ ଷ୍ଟରଲିନ୍ ଛକ ବେଳାଭୂମିରେ ଚାଲିଥିବା ଏଭଳି ନିର୍ମାଣ ବିରୋଧରେ ସି ଆର୍ ଯେଡ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛି ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ । ତେବେ ଘଟଣାସ୍ଥଳକୁ ଯାଇ ଏକ ଟିମ୍ ତଦନ୍ତ କରୁଥିବା ବେଳେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ପୁରୀ ଜିଲ୍ଲାପାଳ।

ସୂଚନା ଅନୁସାରେ, ସିଆରଜେଡ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଷ୍ଟର୍ଲିନ୍‌ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ। ଯେଉଁଠି ସମୁଦ୍ର ଜୁଆର ମାଡ଼ ହେଉଛି ତା ଉପରେ ବି ପଡ଼ିଛି ମାଫିଆମାନଙ୍କ ଲୋଲୁପ ନଜର । ଏଭଳି ଜବରଦଖଲକୁ ତୁରନ୍ତ ହଟାଇବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି କରାଯାଇଛି ।

ଅପରପକ୍ଷେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ସିଆରଜେଡ୍‌ କର୍ତ୍ତୃପକ୍ଷଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ସିଆରଜେଡର ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି । ସେପଟେ ଉକ୍ତ ଘଟଣାକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ଏଥିସହ ନୋଟାରୀ ଆଫିଡେଭିଟ ମାଧ୍ୟମରେ ବିକ୍ରି ହେଉଥିବା କୌଣସି ବେଆଇନ ଜାଗାକୁ ନ କିଣିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

Comments are closed.