Latest Odisha News

ଜୁନ୍ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତା ଜୁନ ୧ରୁ ଆରମ୍ଭ ହେବ +୨ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ୟୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଖାତା ମୂଲ୍ୟାୟନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ପରିଷଦ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୫ଟି କଲେଜରେ ଅନଲାଇନ ଓ ୫୮ଟି କଲେଜରେ ଅଫଲାଇନ ମୂଲ୍ୟାୟନ ଲାଗି ବ୍ୟବସ୍ଥା କରାଯାଇଛି । ଦରକାର ପଡ଼ିଲେ ଆଉ କିଛି କେନ୍ଦ୍ର ବଢ଼ାଯାଇପାରେ ବୋଲି ସୂଚନା ଦେଇଛି ପରିଷଦ ।

ଅନ୍ୟପଟେ କୋଭିଡ-୧୯ ଯୋଗୁଁ ମୂଲ୍ୟାୟନ ହେବାକୁଥିବା କିଛି କଲେଜକୁ କ୍ୱାରେଣ୍ଟାଇନ ସେଣ୍ଟର, ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ର ବା କୋଭିଡ କେୟାର ସେଣ୍ଟର କରାଯାଇଛି । ଜୁନ ୧ରୁ ଖାତାଦେଖା ଆରମ୍ଭ ହେବାକୁ ଥିବାରୁ ସେସବୁକୁ ତୁରନ୍ତ ଖାଲି କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଧ୍ୟାପକ ଅଧ୍ୟାପିକାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିର ରଖି ମେ ୩୦ ସୁଦ୍ଧା ସେସବୁକୁ କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ ସଙ୍ଗରୋଧ କେନ୍ଦ୍ର ସ୍ଥାନାନ୍ତର ଯଦି ସମ୍ଭବପର ହେଉନି ତାହେଲେ ବ୍ରିକେଡ ଦ୍ୱାରା ମୂଲ୍ୟାୟନ କେନ୍ଦ୍ର ଓ କ୍ୱାରେଣ୍ଟାଇନ ସେଣ୍ଟରକୁ ଅଲଗା କରାଇବାକୁ ନିର୍ଦ୍ଦେଶ ରହିଛି । ସେହିପରି କୋଭିଡ ଗାଇଡଲାଇନ ଅନୁସାରେ ଖାତାଦେଖା ପୂର୍ବରୁ ମୂଲ୍ୟାୟନକାରୀ ଏବଂ ଜୋନାଲ ଅଧିକାରୀଙ୍କର ଙ୍କର ଥର୍ମାଲ ସ୍କ୍ରିନିଂ କରିବା ସହ ସାନିଟାଇଜର ଉପଲବ୍ଧ କରାଇବାକୁ ସ୍ଥାନୀୟ ମ୍ୟୁନିସିପାଲିଟି, ଏନଏସି ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି ।

Comments are closed.