Latest Odisha News

BREAKING NEWS

କିଛି ନିଷ୍ପତ୍ତି ଅଡ଼ୁଆ ଲାଗିପାରେ କିନ୍ତୁ ଭବିଷ୍ୟତରେ ଦେଶ ନିର୍ମାଣରେ ସହଯୋଗ କରିବ: ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି । ସୋମବାର କିଛି ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କଂଗ୍ରେସ ନେତାମାନେ ଏହି ଯୋଜନାକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହାରି ଭିତରେ କିନ୍ତୁ ପରୋକ୍ଷରେ ମୋଦୀ ଏହି ଯୋଜନାକୁ ନେଇ ନିଜର ମୁହଁ ଖୋଲିଛନ୍ତି।

ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ନୂଆ ଯୋଜନା ବା ନିଷ୍ପତ୍ତି ସାମୟିକ ଭାବରେ ଅପ୍ରୀତିକର ହୋଇପାରେ। କିନ୍ତୁ ସମୟ ବଦଳିବା ସହିତ ଦେଶକୁ ଏହାର ଲାଭ ମିଳିବ। ଏହି ସମୟରେ ତାଙ୍କ ସରକାର କିଭଳି ଷ୍ଟାର୍ଟଅପ, ଏମଏସଏମଇ ଆଦି ସେକ୍ଟରକୁ କିଭଳି ଆଗକୁ ଆଣିଛନ୍ତି ସେ ବାବଦପେ ଉଦାହରଣ ଦେଇଥିଲେ। ୮ ବର୍ଷ ଧରି ଦେଶକୁ ଏହି ରାସ୍ତାରେ ନେବା ମଧ୍ୟ ସହଜ ନଥିଲା। ଅନେକ ନିଷ୍ପତ୍ତି ଏବଂ ସଂସ୍କାର ସାମୟିକ ଭାବେ ଅପ୍ରୀତିକର ହୋଇପାରେ, କିନ୍ତୁ ସମୟ ସହିତ ଏହାର ଲାଭ ଦେଶ ଅନୁଭବ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ବିମୁଦ୍ରୀକରଣ ଓ କୃଷି ଆଇନ ଆଣି କେନ୍ଦ୍ର ସରକାର ଯେଉଁ ଭୁଲ୍ କରିଥିଲେ ସମାନ ଭୁଲ ଆଉ ଏକ ନିଷ୍ପତ୍ତି ଅଗ୍ନିପଥ ଯୋଜନା ବୋଲି ବିରୋଧୀ କହିଛନ୍ତି। ତେବେ ସରକାର ନିଜ ଜିଦରେ ଅଟଳ ରହିଛନ୍ତି। ଯୁଦ୍ଧରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ହୋଶ ଏବଂ ଜୋଶର ଅନୁଭବକୁ ଫେଣ୍ଟାଫେଣ୍ଟି କରି ଦେଶର ସେନାକୁ ମଜବୁତ କରିବାକୁ ଚାହୁଁଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା ଯୁଦ୍ଧ ଏବଂ ପାଟ୍ରୋଲିଂ କରିବାକୁ ହେଲେ ଯୁବ ଶକ୍ତିର ଆବଶ୍ୟକ ରହିଛି। ହେଲେ ଏବେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଖରେ ସେଭଳି ଫିଟନେସ ନାହଁ ବୟସ ବୃଦ୍ଧି କାରଣରୁ । କିନ୍ତୁ ତାଙ୍କ ପାଖରେ ଅଭିଜ୍ଞତା ରହିଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ଯୁବ ଶକ୍ତି ଏବଂ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କୁ ସେନାରେ ରଖି ମଜବୁତ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.