Latest Odisha News

BREAKING NEWS

ଉଭୟ ଗୃହରେ ପାରିତ ହେଲା ଓ୍ବାକଫ୍ ବିଲ୍: ମୋଦି କହିଲେ, ‘ଅବହେଳିତଙ୍କୁ କରିବ ସାହାଯ୍ୟ’

ନୂଆଦିଲ୍ଲୀ: ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହର ଆବଶ୍ୟକ, ଯାହା ୨୦୧୪ର ଏହି ସଂଶୋଧିତ ବିଲକୁ ଆଇନରେ ପରିଣତ କରିବ । ଶାସକ ଦଳର ସଂଖ୍ୟା ଗରିଷ୍ଠତା ଯୋଗୁଁ ଉଭୟ ଗୃହରେ ବେଶ୍ ଆରାମରେ ପାରିତ ହୋଇଥିଲା ଓ୍ବାକଫ୍ ବୋର୍ଡ ବିଲ୍ । ଲୋକସଭା ପରି ରାଜ୍ୟସଭାରେ ମଧ୍ୟ, ଏନେଇ ଏକ ଦୀର୍ଘ ଆଲୋଚନା ପରେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟସଭା ମଧ୍ୟ ପାସ୍ କରିଛି ବିଲ୍ । ଏହାପରେ ଏହା ରାଷ୍ଟ୍ରପତିଙ୍କ ଅନୁଭତି ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ ।

ଯାହାକୁ ନେଇ ଏବେ ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ସଂସଦର ଉଭୟ ଗୃହ ଦ୍ବାରା ୱାକଫ (ସଂଶୋଧନ) ବିଲ୍ ଏବଂ ମୁସଲମାନ ୱାକଫ (ରଦ୍ଦ) ବିଲ୍ ପାରିତ ହେବା ଦେଶର ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତିକୃତ ଅଭିବୃଦ୍ଧି ପାଇଁ ସାମୂହିକ ପ୍ରୟାସରେ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି । ଏହି ନୂଆ ଆଇନ ବିଶେଷ ଭାବରେ ଯେଉଁମାନେ ଦୀର୍ଘ ଦିନ ଧରି ସୀମାରେ ରହିଆସିଛନ୍ତି, ଗରିବ ବ୍ୟକ୍ତି, ଯେଉଁମାନଙ୍କର ସ୍ୱର ଏବଂ ସୁଯୋଗ ଉଭୟକୁ ବର୍ଜନ କରାଯାଇଛି, ସେମାନଙ୍କୁ ସାହାଯ୍ୟ କରିବ ବୋଲି ନିଜ ଏକ୍ସରେ ଉଲ୍ଲେଖ କରିଛନ୍ତି ମୋଦି ।

ଏଥିସହିତ ପ୍ରଧାନମନ୍ତ୍ରୀ ସଂସଦର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ, ଯେଉଁମାନେ ଏହା ପ୍ରତି ନିଜର ସମର୍ଥନ ଏବଂ ଦୃଷ୍ଟିକୋଣ ଉଭୟ ପ୍ରକାଶ କରିଥିଲେ ଏବଂ ଏହି ବିଲକୁ ଏକ ଆଇନରେ ସୁଦୃଢ଼ ​​କରିବାରେ ଅବଦାନ ଦେଇଥିଲେ । ଏଥିସହିତ ପୁଣି ଥରେ ସେମାନଙ୍କର ବ୍ୟାପକ ବିତର୍କ ଏବଂ ଆଲୋଚନାର ଗୁରୁତ୍ୱ ପୁନଃସ୍ଥାପିତ ହୋଇଛି ବୋଲି କହିଥିଲେ ମୋଦି ।

ସେ ଆହୁରି କହିଛନ୍ତି, ଦଶକ ଦଶନ୍ଧି ଧରି, ୱାକଫ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଦାୟିତ୍ୱହୀନତାର ଅଭାବ ରହିଥିଲା । ଏହା ବିଶେଷ ଭାବରେ ମୁସଲିମ ମହିଳା, ଗରିବ ମୁସଲିମ, ପାସମାଣ୍ଡା ମୁସଲିମମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଆସୁଥିଲା । ହେଲେ ସଂସଦ ଦ୍ୱାରା ଗୃହୀତ ହୋଇଥିବା ଏହି ନୂଆ ଆଇନ ସ୍ୱଚ୍ଛତାକୁ ବୃଦ୍ଧି କରିବ ଏବଂ ଲୋକଙ୍କ ଅଧିକାରକୁ ମଧ୍ୟ ସୁରକ୍ଷା ଦେବ । ଆମେ ଏବେ ଆଉ ଏକ ଯୁଗରେ ପ୍ରବେଶ କରିବୁ, ଯେଉଁଠାରେ ଢାଞ୍ଚା ଅଧିକ ଆଧୁନିକ ଏବଂ ସାମାଜିକ ନ୍ୟାୟ ପ୍ରତି ସମ୍ବେଦନଶୀଳ ହେବ । ଆମେ ପ୍ରତ୍ୟେକ ନାଗରିକଙ୍କ ସମ୍ମାନକୁ ପ୍ରାଥମିକତା ଦେବା ପାଇଁ ପ୍ରତିବଦ୍ଧ । ଏହିପରି ଆମେ ଏକ ଶକ୍ତିଶାଳୀ, ଅଧିକ ଅନ୍ତର୍ଭୁକ୍ତ ଏବଂ ଅଧିକ କରୁଣାମୟ ଭାରତ ନିର୍ମାଣ କରିବୁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ତେବେ କହିରଖୁଛୁ, ବିରୋଧୀ ଦଳ ଏବଂ ପ୍ରମୁଖ ମୁସଲିମ ସଂଗଠନଗୁଡ଼ିକ ପକ୍ଷରୁ କଡ଼ା ବିରୋଧ ପ୍ରଦର୍ଶନ ସତ୍ତ୍ବେ ୱାକଫ୍ (ସଂଶୋଧନ) ବିଲ୍ ବୁଧବାର ଲୋକସଭା ଏବଂ ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି । ଏହା ଏବେ ଏକ ଆଇନ ହେବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ଅପେକ୍ଷାରେ ରହିଛି । ଲୋକସଭାରେ ଏହି ବିଲକୁ ୨୮୮ ସଦସ୍ୟ ସମର୍ଥନ କରିଥିବାବେଳେ ୨୩୨ ଜଣ ବିରୋଧ କରିଛନ୍ତି । ସେହିପରି ରାଜ୍ୟସଭାରେ ୧୨୮ ଜଣ ସଦସ୍ୟ ଏହି ବିଲ୍ ସପକ୍ଷରେ ରହିଥିବା ବେଳେ ୯୫ ଜଣ ଏହାର ବିପକ୍ଷରେ ରହିଥିଲେ । ଏହି ବିଲ୍ ୱାକଫ୍ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବ ବୋଲି ସରକାର ଦାବି କରୁଥିବା ବେଳେ ବିରୋଧୀ ଦଳ ଏହାକୁ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ଆକ୍ରମଣ ଏବଂ ସରକାର ୱାକଫ ସମ୍ପତ୍ତି ଉପରେ ନଜର ରଖୁଥିବା ଅଭିଯୋଗ କରିଛନ୍ତି ।

Comments are closed.