Latest Odisha News

BREAKING NEWS

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: ସଂସଦରେ ଆଜିଠୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ସେହିପରି ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଏଥିରେ ପୂର୍ବ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ମୂଲ୍ୟାଙ୍କନ ଦେଖିବାକୁ ମିଳିବ। ତେବେ ବଜେଟ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ମା’ ଲକ୍ଷ୍ମୀଙ୍କ ସ୍ତୁତି ଗାନ କରି ବଜେଟ୍ ଅଧିବେଶନ ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଦେଶର ପ୍ରତ୍ୟେକ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ସମ୍ପ୍ରଦାୟ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ। ଆମର ଗଣତନ୍ତ୍ର ୭୫ ବର୍ଷ ପୂରଣ କରିଛି। ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଦେଶବାସୀ ତୃତୀୟ ଥର ସେବା କରିବାକୁ ସୁଯୋଗ ଦେଇଛନ୍ତି । ତୃତୀୟ କାର୍ଯ୍ୟକାଳର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ।

ମୋଦି କହିଛନ୍ତି ଦେଶକୁ ସଶକ୍ତ କରିବାକୁ ନୂଆ ଆଇନ ପ୍ରଣୟନ ହେବ । ଦେଶକୁ ନୂଆ ଶକ୍ତି ଯୋଗାଇବ ଏ ବଜେଟ୍। ବଜେଟ୍ ସେସନରେ ଏକାଧିକ ଐତିହାସିକ ବିଲ୍ ଆସିବ। ୧୪୦ କୋଟି ଦେଶବାସା ସାମୂହିକ ପ୍ରୟାସରେ ଏହି ସଂକଳ୍ପକୁ ପୂରଣ କରିବେ । ମିଶନ ମୋଡରେ ଦେଶର ସର୍ବାଙ୍ଗିନ ବିକାଶ ମୋଡରେ ନେବା। ବଜେଟ୍ ସେସନରେ ଏକାଧିକ ଐତିହାସିକ ବିଲ ଉପରେ ଗୃହରେ ଚର୍ଚ୍ଚା ହେବ। ଏଥର ବଜେଟ ନୂଆ ବିଶ୍ବାସ ସୃଷ୍ଟି କରିବ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରକାଶ ଥାଉ କି, ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଆସନ୍ତାକାଲି (ଶନିବାର) ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ରାଜକୋଷର ହିସାବ ଦେବେ ଅର୍ଥମନ୍ତ୍ରୀ।

Comments are closed.