Latest Odisha News

BREAKING NEWS

ଏନିଡିଏରେ ବିଆରଏସ ଯୋଗ ଦେବା ପ୍ରସଙ୍ଗ: ମୋଦୀଙ୍କ ଦାବିକୁ ମିଛ କହିଲେ କେସିଆର

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ରାଜନୀତି ସରଗରମ। ଚଳିତ ବର୍ଷ ଶେଷରେ ତେଲେଙ୍ଗାନାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାର ନିଜାମବାଦରେ ପହଞ୍ଚି ରାଜ୍ୟବାସୀଙ୍କୁ ଆଠ ହଜାରରୁ ଅଧିକ ପ୍ରକଳ୍ପ ଉପହାର ଦେଇଛନ୍ତି। ଭୋଟ ପାଇଁ ଜନତାଙ୍କୁ ଆକୃଷ୍ଟ କରୁଛି ବିଜେପି। ତେଲେଙ୍ଗାନାରେ ଆୟୋଜିତ ଏକ ରାଲିରେ ମୁଖ୍ୟମନ୍ତ୍ରୀ କେସିଆର ଏନଡ଼ିଏରେ ସାମିଲ ହେବାକୁ ଚାହୁଁଥିବା କଥା କହିଥିଲେ ମୋଦି। ଏହାକୁ ଖଣ୍ଡନ କରିଛନ୍ତି କେ.ଚନ୍ଦ୍ରଶେଖର ରାଓ।

ସୂଚନା ଅନୁସାରେ, ମଙ୍ଗଳବାର ନିଜାମାବାଦରେ ଆୟୋଜିତ ସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଅତୀତରେ ଏନଡିଏରେ ଯୋଗ ଦେବାକୁ ଚାହୁଁଥିବା କଥା କହିଥିଲେ ବୋଲି ସଭାରେ ମୋଦୀ ପ୍ରକାଶ କରିଥିଲେ। କିନ୍ତୁ ମୋଦୀଙ୍କର ରାଜନୀତିରେ ଚାଲିଥିବା ଏହି ଗୁପ୍ତ ତଥ୍ୟକୁ ସଭାରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ନିଜର ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏକଥା ମଧ୍ୟ କହିଛନ୍ତି, “ପ୍ରଥମ ଥର ପାଇଁ ମୁଁ ଏକ ସିକ୍ରେଟ ରିଭିଲ କରିବାକୁ ଯାଉଛି” । ସେପଟେ ଏହାକୁ ଖଣ୍ଡନ କରିବା ସହ ଏନଡିଏ ଉପରେ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ।

ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ‘‘ମୋତେ କ’ଣ ପାଗଳ କୁକୁର କାମୁଡିଛି ଯେ ମୁଁ ଏନଡିଏରେ ଯୋଗ ଦେବା ପାଇଁ କହିବି ? ଶିବସେନା ତାଙ୍କୁ ଛାଡିଦେଲା। ଜନତା ଦଳ ମଧ୍ୟ ଛାଡି ଦେଲା। ତାଙ୍କ ପାଇଁ କିଏ ବଳକା ରହିଲା ? ସିବିଆଇ, ଆଇଟି ଏବଂ ଇଡି ଆଦିକୁ ଛାଡିଦେଲେ ଆଉ କିଏ ରହିଛନ୍ତି ?” ବୋଲି ପ୍ରଶ୍ନ କରିବା ସହ NDAକୁ କଡ଼ା ସମାଲୋଚନା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଅଣବିଜେପି ଶାସିତ ରାଜ୍ୟମାନଙ୍କରେ କିଭଳି ପଦ୍ମ ଫୁଟିବ ସେଥିପାଇଁ ବିଜେପିର ଚାଲିଛି ଜୋରଦାର ପ୍ରୟାସ। ଏହାରି ଭିତରେ ତେଲେଙ୍ଗାନା ଗସ୍ତ ବେଳେ ମୋଦିଙ୍କ ‘ସିକ୍ରିଟେ ରିଭିଲ’ ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ରହିଥିବା ବେଳେ ପରେ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦକ୍ଷିଣ ବିଜୟ ଲକ୍ଷ୍ୟରେ ବିଜେପିର ରଣନୀତିକୁ ଚେକ୍ ଦେବାକୁ କେସିଆର ମଧ୍ୟ ମୋଦି ଓ ବିଜେପି ପ୍ରତି ନିଜ କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

Comments are closed.