Latest Odisha News

BREAKING NEWS

୨୦୦୭ ବିଶ୍ୱକପ:ମହାନ ଖେଳାଳିଙ୍କ ଅବସର, ରୋମାଂଚବିହୀନ ମୁକାବିଲା, ଟିମ ଇଣ୍ଡିଆର ନୈରାଶ୍ୟ ପ୍ରଦର୍ଶନ

୨୦୦୩ରେ ବିଶ୍ୱକପ ହାତଛଡା କରିଥିବା ଭାରତ କିନ୍ତୁ ତାର ପରବର୍ତୀ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୨୦୦୭ ବିଶ୍ୱକପ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ପାକିସ୍ତାନ କୋଚ ବବ ଉଲମରଙ୍କ ରହସ୍ୟମୟ ମୃତ୍ୟୁ ଏବଂ ଭାରତ, ପାକିସ୍ତାନର ଖରାପ ପ୍ରଦର୍ଶନ ଆଲୋଚନାର ବିଷୟ ସାଜିଥିଲା । ଦର୍ଶକଙ୍କ ଅଭାବ, ଅତ୍ୟଧିକ ବ୍ୟବସାୟୀକରଣ ଓ ରୋମାଂଚ ମ୍ୟାଚର ଅଭାବ ଏହି ବିଶ୍ୱକପକୁ ଫିକା କରି ଦେଇଥିଲା । ସର୍ବାଧିକ ୧୬ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଭାରତ କେବଳ ବରମୁଡା ବିପକ୍ଷରେ ବିଜୟ ହାସଲ କରି ନୈରାଶ୍ୟଜନକ ଢ଼ଙ୍ଗରେ ବିଦାୟ ନେଇଥିଲା ।

ଭାରତର ପ୍ରଦର୍ଶନ: ଭାରତ ବି ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ, ବରମୁଡା ସହ ରହିଥିଲେ । ବରମୁଡା ବ୍ୟତୀତ ଟିମ ଇଣ୍ଡିଆ ଆଉ କାହା ବିପକ୍ଷରେ ବିଜୟ ହାସଲ କରିପାରି ନ ଥିଲା । ପ୍ରଥମ ମ୍ୟାଚରେ ଭାରତ ୧୯୨ ରନର ଲକ୍ଷ୍ୟ ବାଂଲାଦେଶ ସମ୍ମୁଖରେ ରଖିଥିଲା । ବାଂଲାଦେଶ ୫ ୱିକେଟରେ ବିଜୟ ହାସଲ କରିଥିଲା । ସେହିପରି ଶ୍ରୀଲଙ୍କାର ୨୫୫ ରନର ଟାର୍ଗେଟକୁ ଚେଜ କରି ଭାରତ ୧୮୫ ଅଲଆଉଟ ହୋଇ ଯାଇଥିଲା । ବୀରେନ୍ଦ୍ର ସେହ୍ୱାଗ ୪୮ ଓ ରାହୁଲ ଡ୍ରାଭିଡ ୬୦ ରନ କରିଥିଲେ । ବରମୁଡା ବିପକ୍ଷରେ ବୀରେନ୍ଦ୍ର ସେହ୍ୱାଗଙ୍କ ବିସ୍ଫୋରକ ଶତକ ଏବଂ ଯୁବରାଜ ଅର୍ଦ୍ଧଶତକ ଯୋଗୁ ଭାରତ ୪୧୪ ରନର ଟାର୍ଗେଟ ଦେଇଥିଲା । ବରମୁଡା ଟିମ ୧୫୬ରେ ଅଲଆଉଟ ହୋଇ ଯାଇଥିଲେ । ଭାରତ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା ।

ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଆଡାମ ଗିଲକ୍ରିଷ୍ଟଙ୍କ ୧୪୯ ରନ ସହାୟତାରେ ୨୮୧ ରନ ସଂଗ୍ରହ କରିଥିଲା । ବର୍ଷା ଯୋଗୁ ଶ୍ରୀଲଙ୍କା ସମ୍ମୁଖରେ ୩୬ ଓଭରରେ ୨୬୯ ରନର ରିଭାଇଜଡ ଟାର୍ଗେଟ ରଖା ଯାଇଥିଲା । ସନଥ ଜୟସୂରିୟାଙ୍କ ୬୩ ରନ ସତ୍ୱେ ଶ୍ରୀଲଙ୍କା ୮ ୱିକେଟ ବିନିମୟରେ ୨୧୫ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ପ୍ରଥମ ଟିମ ଭାବେ କ୍ରମାଗତ ତୃତୀୟ ଥର ଟାଇଟଲ ହାସଲ କରିଥିଲା ।ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରା ଓ ପାକିସ୍ତାନର ଇଞ୍ଜାମାମ ଉଲ ହକ ଏହି ବିଶ୍ୱକପ ପରେ କ୍ରିକେଟକୁ ଅଲବିଦା କହିଥିଲେ । ଆୟର୍ଲାଣ୍ଡ ନିକଟରୁ ପାକିସ୍ତାନ ହାରିବା ପରଦିନ କୋଚ ବବ ଉଲମରଙ୍କ ରହସ୍ୟମୟ ମୃତ୍ୟୁ କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରି ଦେଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୪ଟି ବଲରେ ୪ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ । ଅଷ୍ଟ୍ରେଲିଆ ବିଶ୍ୱ ବିଜୟୀ ହେବା ପରେ ଗ୍ଲେନ ମ୍ୟାକଗ୍ରା ମଧ୍ୟ ସମ୍ପୂର୍ଣ୍ଣ ସମ୍ମାନ ସହକାରେ କ୍ରିକେଟକୁ ଅଲବିଦା କହିଥିଲେ ।

Leave A Reply

Your email address will not be published.