Latest Odisha News

BREAKING NEWS

Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…

ନୂଆଦିଲ୍ଲୀ:ରବିବାର ସିଡନୀର ପ୍ରସିଦ୍ଧ ବଣ୍ଡି ବିଚ୍‌ରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆତଙ୍କବାଦୀ ଆକ୍ରମଣ ଇହୁଦୀ ସମ୍ପ୍ରଦାୟର ହନୁକା ଉତ୍ସବ ସମୟରେ ଘଟିଥିଲା। ଦୁଇଜଣ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନା କରିଥିଲେ , ଫଳରେ ଅତିକମ୍ ରେ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି । ଏହି ଘଟଣା ଏକ ଆତଙ୍କବାଦୀ ଘଟଣା ବୋଲି ଅଷ୍ଟ୍ରେଲିଆ ପୋଲିସ ଘୋଷଣା କରିଛି । ଏପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଏହାକୁ ଏକ “ଜଘନ୍ୟ ଆତଙ୍କବାଦୀ ଆକ୍ରମଣ” ବୋଲି କହିଛନ୍ତି ଏବଂ ପୀଡିତମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ X ଆକାଉଣ୍ଟରେ ଲେଖିଛନ୍ତି, “ଆଜି ଅଷ୍ଟ୍ରେଲିଆର ବଣ୍ଡି ବିଚ୍‌ରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି, ଯାହା ଇହୁଦୀ ପର୍ବ ହନୁକାହର ପ୍ରଥମ ଦିନ ପାଳନ କରୁଥିବା ଲୋକଙ୍କୁ ଟାର୍ଗେଟ କରିଥିଲା।ଭାରତ ପକ୍ଷରୁ, ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଏହି ଦୁଃଖର ସମୟରେ, ଆମେ ଅଷ୍ଟ୍ରେଲିଆର ଲୋକଙ୍କ ସହିତ ଠିଆ ହୋଇଛୁ। ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ରଖିଛି ଏବଂ ଆତଙ୍କବାଦର ସମସ୍ତ ରୂପ ଓ ପ୍ରଦର୍ଶନ ବିରୁଦ୍ଧରେ ଲଢ଼େଇକୁ ସମର୍ଥନ କରେ।”

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର Xରେ ଏକ ପୋଷ୍ଟରେ କହିଛନ୍ତି, “ଅଷ୍ଟ୍ରେଲିଆର ବଣ୍ଡି ବିଚ୍ ରେ ହନୁକା ଉତ୍ସବ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆମର ସମବେଦନା ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି।”

ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ( Isaac Herzog)ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି, ଏହାକୁ ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆର ସିଡନୀରେ ଆମର ଭାଇଭଉଣୀମାନେ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି। ଏହା ଇହୁଦୀମାନଙ୍କ ଉପରେ ଏକ ନୃଶଂସ ଆକ୍ରମଣ। ସମଗ୍ର ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି। ଏହି ଆକ୍ରମଣ ସମଗ୍ର ଦେଶର ହୃଦୟକୁ ଥରାଇ ଦେଇଛି। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛୁ।

ଇସ୍ରାଏଲର ରାଷ୍ଟ୍ରପତି ଅଷ୍ଟ୍ରେଲିଆ ସରକାରଙ୍କୁ ନିବେଦନ କରିଛନ୍ତି। ସେ ଅଷ୍ଟ୍ରେଲିଆରେ ବୃଦ୍ଧି ପାଉଥିବା ଯିହୂଦୀ ବିରୋଧୀ ଘଟଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

ଏପଟେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଏହି ଆକ୍ରମଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହନୁକା ଭଳି ଏକ ଆନନ୍ଦଦାୟକ ଏବଂ ପବିତ୍ର ପର୍ବ ସମୟରେ କରାଯାଇଥିବା ଏହି ଆକ୍ରମଣ, ଘୃଣା, ଇହୁଦୀ ବିରୋଧୀ ଭାବନା ଏବଂ ଆତଙ୍କବାଦର ଏକ ଜଘନ୍ୟ ଉଦାହରଣ ଯାହା ଦେଶର ହୃଦୟକୁ ଆଘାତ କରିଛି। ଏହି ଘଟଣା ପରେ, ଅଷ୍ଟ୍ରେଲିଆ ସମେତ ଅନେକ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଏହି ଆକ୍ରମଣ ପଶ୍ଚିମ ଦେଶଗୁଡ଼ିକରେ ବଢ଼ୁଥିବା ଇହୁଦୀ-ବିରୋଧୀ ଘଟଣା ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି।

Leave A Reply

Your email address will not be published.