Latest Odisha News

ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହ୍ଵାଇଟ ହାଉସକୁ ଫେରିବାକୁ ନେଇ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନୂଆ ଉଚ୍ଚତା ପହଞ୍ଚାଇବା ପାଇଁ ସେ ଅତ୍ୟନ୍ତ ଉତ୍ସାହିତ । ଗତକାଲି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ବର୍ତ୍ତଳାପ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ରଣନୀତିକ ଲକ୍ଷ୍ୟରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ ଯେ  ‘ମୁଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ଅଭିନନ୍ଦନ ଜଣାଉଛି । ଏହି ବିଜୟ ତାଙ୍କର ନୀତି ଏବଂ ନେତୃତ୍ୱର ଶକ୍ତିକୁ ପ୍ରମାଣିତ କରେ । ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବା’ ।

ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି ଭାରତକୁ ଏକ ଚମତ୍କାର ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ଚମତ୍କାର ନେତା ବୋଲି କହିଛନ୍ତି। ଏହା ସହିତ ଟ୍ରମ୍ପ ଭାରତକୁ ଏକ ମହତ୍ଵପୂର୍ଣ୍ଣ ସହଯୋଗୀ ବୋଲି କହିଛନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ନିର୍ବାଚନ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଶ୍ୱସ୍ତରୀୟ ନେତା ଯାହାଙ୍କ ସହ ସେ ଫୋନରେ କଥା ହୋଇଛନ୍ତି। ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ ବୋଲି କହିଛନ୍ତି ଟ୍ରମ୍ପ ।

ସୂଚନାଯୋଗ୍ୟ, ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ ହାଉସ ଫେରିଛନ୍ତି ଟ୍ରମ୍ପ । ଅନେକ ବିବାଦରେ ଫସି ମଧ୍ୟ ସେ ଆମେରିକୀୟଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ମ୍ଯାଜିକ ନମ୍ବରଠାରୁ ବେଶ ଆଗରେ ରହି ଐତିହାସିକ ବିଜୟ ଲାଭ କରି ବିଶ୍ବର ସୁପର ପାୱାର ଦେଶ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ଯପଟେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ।

 

Leave A Reply

Your email address will not be published.