Latest Odisha News

BREAKING NEWS

ମୋଦୀଙ୍କ ନୂଆ ମନ୍ତ୍ର: ଲୋକାଲ ଖେଳନା ପାଇଁ ଭୋକାଲ ହେବା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଉପୁଜିଥିବା ଏହି ସ୍ଥିତିରେ ସମସ୍ତେ ନିଜ ଦାୟିତ୍ୱ ବାବଦରେ ସଚେତନ ହୋଇଛନ୍ତି । ସବୁ ପ୍ରକାର ଉତ୍ସବରେ ନାଗରିକମାନେ ସଂଯମତା ରକ୍ଷା କରୁଛନ୍ତି । ଯାହା ଅଦ୍ଭୁତପୂର୍ବ ବୋଲି ମନ୍ କୀ ବାତ୍ କାର‌୍ୟ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ମୋଦୀ ଦେଶବାସୀଙ୍କୁ ସ୍ୱଦେଶୀ ଖେଳନା ଏବଂ କମ୍ପ୍ୟୁଟର ଗେମ୍ ତିଆରି କରିବାକୁ ଅପିଲ୍ କରିଛନ୍ତି । ଲୋକାଲ ଖେଳାଣା ପାଇଁ ଭୋକାଲ ହେବାକୁ ସେ କହିଛନ୍ତି ।

ସେ କହିଛନ୍ତି ଯେ, ଶିଶୁମାନଙ୍କ ପାଇଁ ଖେଳଣା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିଥାଏ । ଦେଶ ମଧ୍ୟରେ ତିଆରି କରାଯାଉଥିବା ଖେଳଣାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଅନେକ କୁଶଳ କାରିଗର ଅଛନ୍ତି ଯେଉଁମାନେ ଭଲ ଖେଳଣା ତିଆରି କରନ୍ତି । ବିଶ୍ୱର ଖେଳଣା ଶିଳ୍ପ ୭ ଲକ୍ଷ କୋଟିରୁ ମଧ୍ୟ ଅଧିକ । ଭାରତରେ କିନ୍ତୁ ଏହାର ଅଂଶ ବହୁତ କମ୍ । ଦେଶ ପାଖରେ ସବୁକିଛି ଥିବାରୁ ଖେଳଣା ଶିଳ୍ପକୁ ଆଗକୁ ନେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶର ପର୍ବ ଓ ପରିବେଶ ମଧ୍ୟରେ ସମ୍ପର୍କ ରହିଛି । ବିହାରର ପଶ୍ଚିମ ଚମ୍ପାରଣରେ ବର୍ଷ ବର୍ଷ ଧରି ଥାରୁ ଆଦିବାସୀମାନେ ୬୦ ଘଣ୍ଟାର ଲକଡାଉନ୍ ବା ବରନା ଉତ୍ସବ ପାଳନ କରିଥାନ୍ତି । ପ୍ରକୃତିର ରକ୍ଷା କରିବା ପାଇଁ ଏହି ସମାଜର ଲୋକେ  ବରନାକୁ ନିଜର ପରମ୍ପରା କରିଛନ୍ତି । କିନ୍ତୁ କରୋନା ସଙ୍କଟ ସମୟରେ ଲୋକମାନେ ଉତ୍ସାହିତ ଥିଲେ ମଧ୍ୟ ଅନୁଶାସନର ପାଳନ କରୁଛନ୍ତି । ଯାହା ମନକୁ ଛୁଇଁଛି । ସେପ୍ଟେମ୍ବର ୫ରେ ଗୁରୁ ଦିବସ ପାଳନ କରାଯିବ । ଶିକ୍ଷକଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ୍ ରହିଛି । ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି ।

କରୋନା ସଙ୍କଟରେ କୃଷକମାନେ ସେମାନଙ୍କର ଅଦମ୍ୟ ସାହାସର ପରିଚୟ ଦେଇଛନ୍ତି । ଫଳରେ ଖରିଫ ଋତୁରେ ଫସଲ ଅମଳ ପୂର୍ବାପେକ୍ଷା ୭ ପ୍ରତିଶତ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ ଅନଲକ୍ ୪ର ଗାଇଡଲାଇନ୍ ବାବଦରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ।

ମୋଦୀ କହିଛନ୍ତି ଯେ, ସେପ୍ଟେମ୍ବର ମାସ ସାରା ଦେଶରେ ‘ପୋଷଣ ମାସ’ ଭାବରେ ପାଳନ କରାଯିବ। ଦେଶ ଏବଂ ପୋଷଣର ଏକ ଗଭୀର ସମ୍ପର୍କ ଅଛି । କଥାରେ ଅଛି, ‘ଯଥା ଅନ୍ନାମ୍ ତଥା ମନ୍ନମ୍’। ଏହାର ଅର୍ଥ ହେଉଛି, ଆମେ ଯେମିତି ଖାଦ୍ୟ ଖାଇବା ସେହି ଅନୁସାରେ ଆମର ମାନସିକ ଏବଂ ବୌଦ୍ଧିକ ବିକାଶ ହେବ | ସେଥିପାଇଁ ଆମକୁ ପୋଷଣ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।  ପୋଷଣର ଅର୍ଥ କେବଳ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି ତାହା ନୁହେଁ, ଏହାର ଅର୍ଥ ଆପଣଙ୍କ ଶରୀରକୁ କେତେ ଜରୁରୀ ପୋଷକ ତତ୍ତ୍ୱ ମିଳୁଛି। କାରଣ ଏକ ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ରହିଥାଏ, ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.