ଭୁବନେଶ୍ବର: ଭୁବନେଶ୍ୱର ଠାରେ ଆୟୋଜିତ ୫୯ତମ ସର୍ବଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଯାପନୀ ଅଧିବେଶନରେ ରବିବାର ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ବଣ୍ଟନ କରିଛନ୍ତି। ଆଜିର ଉଦଯାପନୀ ଦିବସରେ ସୁରକ୍ଷା ପ୍ରସଙ୍ଗରେ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ। ଆୟୋଜିତ ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍ ଫେକ ବ୍ୟବହାର ଆଶଙ୍କା ଉପରେ ଚିନ୍ତା ପ୍ରକଟ କରିଥିଲେ। ଏଆଇ ଏବଂ ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଦ୍ୱିଗୁଣିତ ଏଆଇ ଶକ୍ତିକୁ ଉପଯୋଗ କରି ଏହି ଆହ୍ୱାନକୁ ସୁଯୋଗରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସେ ସ୍ମାର୍ଟ ପୋଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି। ସହରାଞ୍ଚଳ ପୋଲିସ ବ୍ୟବସ୍ଥାରେ ଗ୍ରହଣ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଦେଶର ୧୦୦ଟି ସହରରେ ପ୍ରତ୍ୟେକ ପଦକ୍ଷେପକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ପୋଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ନିମନ୍ତେ ପ୍ରଯୁକ୍ତିର ବ୍ୟବହାର ପାଇଁ ସେ ଆହ୍ୱାନ ଦେବା ସହ ଥାନାକୁ ସମ୍ବଳ ଆବଣ୍ଟନର କେନ୍ଦ୍ର ବିନ୍ଦୁ କରିବାକୁ ପରାମର୍ଶ ଦେଇଥିଲେ।
ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ମନେପକାଇ ଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରାଳୟଠାରୁ ଆରମ୍ଭ କରି ଥାନାସ୍ତର ପର୍ଯ୍ୟନ୍ତ ସମଗ୍ର ସୁରକ୍ଷା ପ୍ରତିଷ୍ଠାନରେ ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ସାଇବର ଅପରାଧ, ଆର୍ଥିକ ନିରାପତ୍ତା, ପ୍ରବାସନ, ଉପକୂଳ ସୁରକ୍ଷା ଏବଂ ନିଶା କାରବାର ସମେତ ଜାତୀୟ ନିରାପତ୍ତା ସହ ଜଡ଼ିତ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ଗଭୀର ଆଲୋଚନା ହୋଇଥିଲା। ବାଂଲାଦେଶ ଏବଂ ମିଆଁମାର ସୀମାରେ ଉପୁଜିଥିବା ନିରାପତ୍ତା ସମସ୍ୟା, ସହରାଞ୍ଚଳ ପୁଲିସର ଧାରା ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ଗୁଜବ ସୃଷ୍ଟି ଭଳି ସମସ୍ୟାର ମୁକାବିଲା ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ସଚିବ, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ଏବଂ ସିଏପିଏଫ/ସିପିଓର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିଲେ।