ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମ ଗସ୍ତ କରିଛନ୍ତି । ସେଠାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ ୧୧୨ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ଦ୍ୱାରକା ଏକ୍ସପ୍ରେସୱେର ହରିୟାଣା ଭାଗ ଅଂଶକୁ ଉଦଘାଟନ କରିଛନ୍ତି ମୋଦୀ । ଏହି ଏକ୍ସପ୍ରେସୱେ ଜାତୀୟ ରାଜପଥ -୪୮ ରେ ଦିଲ୍ଲୀ ଏବଂ ଗୁରୁଗ୍ରାମ ମଧ୍ୟରେ ଯାତାୟାତକୁ ସୁଗମ କରିବାରେ ଏବଂ ଟ୍ରାଫିକ ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିବ |
ଏହି ଏକ୍ସପ୍ରେସୱେ ଗୁରୁଗ୍ରାମରେ ୧୮.୯ କିଲୋମିଟର ଏବଂ ଦିଲ୍ଲୀରେ ୧୦.୧ କିଲୋମିଟର, ଗୁରୁଗ୍ରାମର ଖେଡକି ଦୌଲା ଟୋଲ ପ୍ଲାଜା ଠାରୁ ଦିଲ୍ଲୀର ମହିପାଲପୁରର ଶିବମୂର୍ତ୍ତି ପର୍ଯ୍ୟନ୍ତ ବ୍ୟାପିଛି। ୯,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାରେ ଯାତାୟାତକୁ ସହଜ କରିବ ବୋଲି ଆଶା କରାଯାଉଛି। ଏହି ଏକ୍ସପ୍ରେସୱେ ଖୋଲିବା ଦ୍ୱାରା ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାରେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀମାନଙ୍କୁ ବହୁ ସହଯୋଗ ମିଳିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ମୂଳଦୁଆ ମଧ୍ୟ ପକାଇଛନ୍ତି । ଆନ୍ଧ୍ରପ୍ରଦେଶର ବେଙ୍ଗାଲୁରୁ-କୁଡପା-ବିଜୟୱାଡା ଏକ୍ସପ୍ରେସୱେରେ ୧୪,୦୦୦ କୋଟି ଟଙ୍କା ମୂଲ୍ୟର ୧୪ ପ୍ୟାକେଜ୍, କର୍ଣ୍ଣାଟକର NH-748A ର ବେଲଗାମ୍-ହୁଙ୍ଗୁଡ-ରାଇଚୁର ବିଭାଗର ୮,୦୦୦କୋଟି ମୂଲ୍ୟର ୬ଟି ପ୍ୟାକେଜ୍, ହରିୟାଣାର ଶାମଲି-ଅମ୍ବାଲା ରାଜପଥର ୪,୯୦୦କୋଟି ମୂଲ୍ୟର ୩ଟି ପ୍ୟାକେଜ୍, ପଞ୍ଜାବର ଅମୃତସର-ବଠିଣ୍ଡା କରିଡରର ୩,୮୦୦କୋଟି ମୂଲ୍ୟର ଦୁଇଟି ପ୍ୟାକେଜ୍ ସମେତ ୩୯ଟି ଅନ୍ୟ ପରିଯୋଜନା ସମେତ ଭିନ୍ନ ଭିନ୍ନ ରାଜ୍ୟରେ ୩୨,୭୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ।
Comments are closed.