Latest Odisha News

BREAKING NEWS

ମନ୍ କି ବାତର ୧୨୩ତମ ଏପିସୋଡକୁ ସମ୍ଭୋଧିତ କଲେ ମୋଦି, ଏହି ସବୁ ଉପରେ ଦେଲେ ଗୁରୁତ୍ବ…

ନୂଆଦିଲ୍ଲୀ: ଆଜି ମନ କି ବାତର ୧୨୩ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ଟି ଭାଷାରେ ଉପସ୍ଥାପିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦିବସ ଉପରେ ଆଲୋଚନା ସହିତ କରିଥିଲେ । କାଶ୍ମୀରରେ ସୈନିକଙ୍କ ଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା ।

ଏହା ପରେ, ସେ ଜରୁରୀକାଳୀନ ସମୟକୁ ମନେ ପକାଇ ଏହାର ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ଜରୁରୀକାଳୀନ ସମୟରେ ଲଢ଼ିଥିବା ଲୋକଙ୍କୁ ମନେ ରଖିବା ଉଚିତ୍ । କିଛିଦିନ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହୋଇଛି । ଆମେ ଦେଶବାସୀ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛୁ । ଆମେ ସର୍ବଦା ସେହି ସମସ୍ତ ଲୋକଙ୍କୁ ସ୍ମରଣ କରିବା ଉଚିତ, ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ଭାବେ ମୁକାବିଲା କରିଥିଲେ । ଏହା ଆମକୁ ଆମ ସମ୍ବିଧାନକୁ ସଶକ୍ତ ରଖିବା ପାଇଁ ନିରନ୍ତର ସଜାଗ ରହିବାକୁ ପ୍ରେରଣା ଦେଇଥିାଏ ।

ଏହି ସମୟରେ, ସ୍ୱାସ୍ଥ୍ୟ ବିଷୟରେ କହିବା ସମୟରେ, ସେ ଖାଦ୍ୟରେ ତେଲ ୧୦ ପ୍ରତିଶତ ହ୍ରାସ କରିବାର ଆବଶ୍ୟକତାକୁ ଦୋହରାଇଥିଲେ ଏବଂ ଲୋକମାନଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବାକୁ ମଧ୍ୟ ନିବେଦନ କରିଥିଲେ । ଯଦି ଆମେ ଆମର ସାମର୍ଥ୍ୟ ବଢ଼ାଇବାକୁ ଚାହୁଁ, ତେବେ ପ୍ରଥମେ ଆମକୁ ଆମର ଫିଟନେସ୍‌ ଓ ସୁସ୍ଥତା ଉପରେ ଧ୍ୟାନ ଅଧିକ ଦେବାକୁ ହେବ । ବନ୍ଧୁଗଣ, ଫିଟନେସ୍‌ ପାଇଁ, ମୋଟାପଣ କମାଇବା ପାଇଁ ମୋର ଏକ ପରାମର୍ଶ ଆପଣଙ୍କର ମନେଅଛି ନା ! ଖାଦ୍ୟରେ ୧୦% ତେଲ କମ୍‌ କରନ୍ତୁ, ମୋଟାପଣ ହ୍ରାସ କରନ୍ତୁ । ଯେତେବେଳେ ଆପଣ ଫିଟ୍‌ ରହିବେ, ସେତେବେଳେ ଜୀବନରେ ଆହୁରି ଅଧିକ ସୁପର୍‌ହିଟ୍‌ ହେବେ ।

ତୀର୍ଥଯାତ୍ରୀମାନଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୈଳାସ ପର୍ବତକୁ ଉଲ୍ଲେଖ କରି କହିଥିଲେ ଯେ ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହେଉଛି । କୈଳାସ ମାନସରୋବର ଅର୍ଥାତ୍ ଭଗବାନ ଶିବଙ୍କ ଧାମ । ହିନ୍ଦୁ, ବୌଦ୍ଧ, ଜୈନ, ପ୍ରତ୍ୟେକ ପରମ୍ପରାରେ କୈଳାସକୁ ଶ୍ରଦ୍ଧା ଏବଂ ଭକ୍ତିଭାବର କେନ୍ଦ୍ର ରୂପେ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରାରେ ଯାଉଥିବା ସମସ୍ତଙ୍କୁ ଏବଂ ସେମାନଙ୍କୁ ସାହାଯ୍ୟ କରୁଥିବା ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ପବିତ୍ର ଶ୍ରାବଣ ମାସ ମଧ୍ୟ ପାଖେଇ ଆସିଲାଣି । ଏଇ ଦିନେ ପୂର୍ବରୁ ଆମେ ଭଗବାନ ଜଗନ୍ନାଥଙ୍କର ରଥଯାତ୍ରାର ମଧ୍ୟ ଅବଲୋକନ କଲୁ । ଓଡ଼ିଶା ହେଉ, ଗୁଜରାଟ ହେଉ କିମ୍ବା ଦେଶର କୌଣସି ଅନ୍ୟ ଭାଗ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଏହି ଯାତ୍ରାଗୁଡ଼ିକ ‘ଏକ ଭାରତ – ଶ୍ରେଷ୍ଠ ଭାରତ’ର ଭାବନାର ପ୍ରତିବିମ୍ବ ଅଟେ । ଆମେ ଯେତେବେଳେ ଶ୍ରଦ୍ଧାଭାବ ସହ, ପୂର୍ଣ୍ଣ ସମର୍ପଣ ଏବଂ ପୂର୍ଣ୍ଣ ଶୃଙ୍ଖଳା ସହିତ ଆମର ଧାର୍ମିକ ଯାତ୍ରା ଶେଷ କରିଥାଉ ସେତେବେଳେ ଏହାର ଫଳପ୍ରାପ୍ତି ମଧ୍ୟ ହୋଇଥାଏ । ମୁଁ ଯାତ୍ରାଗୁଡ଼ିକରେ ଅଂଶଗ୍ରହଣ କରୁଥିବା ସମସ୍ତ ଭାଗ୍ୟବାନ ଶ୍ରଦ୍ଧାଳୁମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଯେଉଁମାନେ ସେବାଭାବନା ସହ ଏହି ଯାତ୍ରାଗୁଡ଼ିକୁ ସଫଳ ଏବଂ ସୁରକ୍ଷିତ କରିବାରେ ଲାଗିଛନ୍ତି ସେମାନଙ୍କୁ ମଧ୍ୟ ମୁଁ ସାଧୁବାଦ ଜଣାଉଛି ।

ମୋଦି ଆହୁରି କହିଥିଲେ ଆମେ ପ୍ରାୟତଃ ‘ମନ୍‌ କି ବାତ୍‌’ରେ ଦେଶର ଏପରି ଅନନ୍ୟ ଉତ୍ପାଦ ବିଷୟରେ କଥା ହେଇଥାଉ । ଏପରି ଏକ ଉତ୍ପାଦ ହେଉଛି ମେଘାଳୟର ଏରି ସିଲ୍କ । ଏହାକୁ କିଛି ଦିନ ପୂର୍ବେ ଜିଆଇ ଟ୍ୟାଗ୍‌ ମିଳିଛି । ଏରି ସିଲ୍କ ମେଘାଳୟ ପାଇଁ ଏକ ଐତିହ୍ୟ ଭଳି । ଏଠାରେ ଜନଜାତି, ବିଶେଷ କରି ଖାସି ସମାଜର ଲୋକେ ପିଢ଼ି ପରେ ପିଢ଼ି ଏହାର ସଂରକ୍ଷଣ କରିଛନ୍ତି ଏବଂ ନିଜର କୌଶଳ ଦ୍ୱାରା ଏହାକୁ ସମୃଦ୍ଧ ମଧ୍ୟ କରିଛନ୍ତି । ଏହି ସିଲ୍କର ଏପରି ବୈଶିଷ୍ଟ୍ୟ ଅଛି, ଯାହା ଏହାକୁ ଅନ୍ୟ କପଡ଼ାଠାରୁ ଭିନ୍ନ କରିଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ତିଆରି ପଦ୍ଧତି, ଏହି ସିଲ୍କକୁ ଯେଉଁ ରେଶମ କୀଟସବୁ ତିଆରି କରନ୍ତି, ତାହା ପାଇବା ପାଇଁ କୀଟମାନଙ୍କୁ ମରାଯାଏ ନାହିଁ, ତେଣୁ ଏହାକୁ ଅହିଂସା ସିଲ୍କ ମଧ୍ୟ କୁହାଯାଏ । ଆଜି ବିଶ୍ୱରେ ଏପରି ଉତ୍ପାଦଗୁଡ଼ିକର ଚାହିଦା ଦ୍ରୁତ ଗତିରେ ବଢ଼ୁଛି, ଯେଉଁଥିରେ ହିଂସା ନାହିଁ ଏବଂ ପ୍ରକୃତି ଉପରେ ଏହାର କୌଣସି କୁପ୍ରଭାବ ପଡ଼େ ନାହିଁ; ତେଣୁ ମେଘାଳୟର ଏରି ସିଲ୍କ ବିଶ୍ୱ ବଜାର ପାଇଁ ଏକ ଉପଯୁକ୍ତ ଉତ୍ପାଦ । ଏହାର ଆଉ ଏକ ନିଆରା କଥା ହେଲା ଏହି ସିଲ୍କ ଶୀତଦିନେ ଗରମ ରଖେ ଏବଂ ଗରମ ଦିନେ ଥଣ୍ଡା ଦେଇଥାଏ । ଏହି ବିଶେଷତ୍ୱ ଏହାକୁ ଅଧିକାଂଶ ସ୍ଥାନ ପାଇଁ ଉପଯୋଗୀ କରିଥାଏ ।

ବନ୍ଧୁଗଣ, ପରିବେଶ ପାଇଁ ଗୁଜୁରାଟର ଅହମ୍ମଦାବାଦ ସହରରେ ଆଉ ଗୋଟିଏ ନୂଆ ଉଦ୍ୟମ ଦେଖିବାକୁ ମିଳିଛି । ନଗର ନିଗମ ଏଠାରେ ‘Mission for Million Trees’ ଅଭିଯାନ ଆରମ୍ଭ କରିଛି । ଉଦ୍ଦେଶ୍ୟ ହେଉଛି – ଲକ୍ଷ ଲକ୍ଷ ଗଛ ଲଗାଇବା । ଏହି ଅଭିଯାନର ଗୋଟିଏ ବିଶେଷ କଥା ହେଲା ‘ସିନ୍ଦୁର ବନ’ । ଏହି ବନ Operation Sindoorର ବୀରମାନଙ୍କ ପ୍ରତି ସମର୍ପିତ । ସିନ୍ଦୁରର ଚାରା ସେହି ବାହାଦୂରମାନଙ୍କ ସ୍ମୃତିରେ ଲଗାଯାଉଛି, ଯେଉଁମାନେ ଦେଶ ପାଇଁ ନିଜର ସବୁକିଛି ସମର୍ପି ଦେଇଛନ୍ତି । ଏଠାରେ ଆଉ ଏକ ଅଭିଯାନକୁ ନୂତନ ଗତି ପ୍ରଦାନ କରାଯାଉଛି । ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନରେ ଦେଶରେ କୋଟି କୋଟି ଗଛ ଲଗାଯାଇ ସାରିଲାଣି । ଆପଣମାନେ ମଧ୍ୟ ନିଜ ନିଜ ଗାଁ ବା ସହରରେ ଏହି ଅଭିଯାନରେ ନିଶ୍ଚୟ ଭାଗ ନିଅନ୍ତୁ। ଗଛ ଲଗାନ୍ତୁ, ପାଣି ବଞ୍ଚାନ୍ତୁ, ପୃଥିବୀର ସେବା କରନ୍ତୁ, କାହିଁକି ନା ଆମେ ପ୍ରକୃତିକୁ ବଞ୍ଚାଇବା ତ ବାସ୍ତବରେ ଆମେ ନିଜର ଭବିଷ୍ୟତ ବଂଶଧରମାନଙ୍କୁ ସୁରକ୍ଷିତ କରିପାରିବା ।

ମହାରାଷ୍ଟ୍ରର ଗୋଟିଏ ଗାଁ ମଧ୍ୟ ସୁନ୍ଦର ଉଦାହରଣଟିଏ ସୃଷ୍ଟି କରିଛି । ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଏକ ଗ୍ରାମପଞ୍ଚାୟତ ହେଉଛି ‘ପାଟୋଦା’ । ଏହା Carbon Neutral ଗ୍ରାମପଞ୍ଚାୟତ ଅଟେ । ଏହି ଗାଁରେ କେହି ନିଜ ଘର ବାହାରେ ଅଳିଆ ପକାନ୍ତି ନାହିଁ । ପ୍ରତ୍ୟେକ ଘରୁ ଅଳିଆ ଏକତ୍ର କରିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏହି ଗାଁରେ ଖରାପ ପାଣିକୁ ଶୁଦ୍ଧ କରିବାର ବ୍ୟବସ୍ଥା ମଧ୍ୟ ଅଛି । ପରିଷ୍କାର ନ ହୋଇ କୌଣସି ପାଣି ନଦୀକୁ ଛଡ଼ାଯାଉନାହିଁ । ଏଠାରେ ଘଷି ଜାଳି ଅନ୍ତିମ ସଂସ୍କାର କରାଯାଏ ଏବଂ ସେହି ପାଉଁଶ ନେଇ ସ୍ୱର୍ଗତ ଲୋକର ନାମରେ ଗଛଟିଏ ଲଗାଯାଏ । ଏହି ଗାଁରେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଦେଖିଲା ଭଳି ।
ବର୍ତ୍ତମାନ ସମସ୍ତଙ୍କର ଧ୍ୟାନ International Space Centre ଉପରେ ରହିଛି । ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । କାଲି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହିତ ମୋର କଥାବାର୍ତ୍ତା ହୋଇଥିଲା । ଆପଣମାନେ ଏହା ନିଶ୍ଚିତ ଶୁଣିଥିବେ । ଶୁଭାଂଶୁକୁ ଏବେ ଆଉ କିଛିଦିନ International Space Centreରେ ରହିବାକୁ ପଡ଼ିବ । ଏହି ଅଭିଯାନ ବିଷୟରେ ଆମେ ଅଧିକା କଥାବାର୍ତ୍ତା ହେବା, କିନ୍ତୁ, ‘ମନ୍ କି ବାତ୍’ର ପରବର୍ତ୍ତୀ ଅଧ୍ୟାୟରେ ବୋଲି ମୋଦି କହିଛନ୍ତି।

Comments are closed.