ବାରଣାସୀ:ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାରେ ଢିଲା । ବାରଣାସୀର ସିଗରାସ୍ଥିତ ରୁଦ୍ରାକ୍ଷ ଇଣ୍ଟରନାଶନାଲ କନଭେନସନ ସେଣ୍ଟରରୁ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିବା କ୍ଷଣି ଜଣେ ଯୁବକ ଫାଇଲରେ କିଛି କାଗଜ ଧରି ତାଙ୍କ ଆଡକୁ ଦୌଡୁଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ଆଡକୁ ଯୁବକ ଜଣକ ଦୌଡିବା ଦେଖି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମୀ ଘାବରେଇ ଯାଇଥିଲେ । ଉପସ୍ଥିତ ପୁଲିସ କର୍ମୀ ଦୌଡାଦୌଡି କରି ଉକ୍ତ ଯୁବକଙ୍କୁ ଧରି ନେଇଥିଲେ । ଏହା ପରେ ପୋଲିସ ତାଙ୍କୁ ସିଗରା ଥାନା ନେଇ ଯାଇଥିଲେ ।
ସିଗରା ଥାନାରେ ଯୁବକଙ୍କୁ ପୋଲିସ ଏବଂ ଏଲଆଇୟୁ ଏବଂ ଆଇବିର ଭିନ୍ନ ଭିନ୍ନ ଟିମ ତାଙ୍କୁ ଜେରା କରିଥିଲା । ପ୍ରାଥମିକ ଜେରା ପରେ ଜଣା ପଡିଥିଲା, ଗାଜୀପୁର ନିବାସୀ ଏହି ଯୁବକ ଜଣକ ଚାକିରୀ ନ ମିଳିବା କାରଣରୁ ହତାଶ ହୋଇ ପଡିଥିଲେ । ଆର୍ମିରେ ଯିବା ପାଇଁ ପରୀକ୍ଷା ଦେଇ ପାସ କରିଥିଲେ । ହେଲେ ମେଡିକାଲରେ ସଫଳ ହୋଇ ପାରି ନ ଥିଲେ ।
ଏନେଇ ସେ ସମସ୍ତ କାର୍ଯ୍ୟାଳୟରୁ ଆରମ୍ଭ କରି ଅଦାଲତ ପର୍ଯ୍ୟନ୍ତ ସବୁଆଡେ ଗୁହାରି କରିଥିଲେ । ହେଲେ କେହି ତାଙ୍କ କଥା ଶୁଣି ନ ଥିଲେ । ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିବାକୁ ଚାହୁଁଥିଲେ ।
Comments are closed.