Latest Odisha News

ଦୁଇ ଦିନିଆ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୧୩ରେ ଟ୍ରମ୍ପଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୧୪ ତାରିଖ ଯାଏଁ ରହିବେ । ଏହି ଗସ୍ତ ସମୟରେ ସେ ୧୩ ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ନିଜ ଦ୍ବିତୀୟ ପାଳି ଆରମ୍ଭ କରିବା ପରେ ଜାନୁୟାରୀ ୨୭ ତାରିଖରେ ମୋଦୀଙ୍କ ସହ କଥା ହୋଇଥିଲେ ଟ୍ରମ୍ପ । ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ହେବାକୁ ଯାଉଛି ।

ତେବେ ବର୍ତ୍ତମାନ ଉଭୟଙ୍କ ସାକ୍ଷାତ ଉପରେ ସମସ୍ତଙ୍କର ନଜର ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆମେରିକା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସ ଗସ୍ତ କରିବେ ବୋଲି ସୂଚନା ରହିଛି । ଚଳିତମାସ ୧୦ ଓ ୧୧ ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆୟୋଜିତ ହେବାକୁ ଯାଉଥିବା ଏଆଇ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଶେଷ କରି ସେ ୧୨ ତାରିଖ ସଂଧ୍ୟାରେ ଆମେରିକାର ୱାସିଂଟନରେ ପହଞ୍ଚିବେ ।

Comments are closed.