Latest Odisha News

ମୋଦିଙ୍କ ଏକ୍ସରେ ମାତୃଭାଷା ଓଡିଆ, ସେୟାର କଲେ ଓଡିଶା ଗସ୍ତର କିଛି ମୁହୂର୍ତ୍ତ

ଭୁବନେଶ୍ବର: ଆଜି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା ସମେତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ଓଡିଶା ଆସିଥିଲେ ମୋଦି । ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବର ବିମାନମନ୍ଦରରେ ପହଞ୍ଚିବା ପରେ ସେଠାରୁ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବା ପାଇଁ ସିଧା ଗାଡକଣ ବସ୍ତି ଯାଇଥିଲେ । ସେହିଠାରେ ଜଣେ ଆଦିବାସୀ ବ୍ୟକ୍ତି, ଯିଏକି ଜଣେ ଆବାସ ହିତାଧିକାରୀ, ତାଙ୍କୁ ଆବାସ ଗୃହ ଚାବି ପ୍ରଦାନ କରିବା ସହିତ ତାଙ୍କ ଘରେ କିଛି ସମୟ ବିତାଇଥିଲେ ମୋଦି । ଯେଉଁ ସମୟର ଫଟୋ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଏକ୍ସରେ ସେୟାର କରି ସେ ମୁହୂର୍ତ୍ତକୁ ଓଡିଶାର ମାତୃଭାଷା ଓଡିଆରେ ବର୍ଣ୍ଣନା କରିଛନ୍ତି ।

ଏନେଇ ମୋଦି ଲେଖିଛନ୍ତି, ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ତାଙ୍କ ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ସ୍ୱାଦିଷ୍ଟ ଖିରି ମଧ୍ୟ ପରିବେଷଣ କରିଥିଲେ।

ସେଠିକା ଅନ୍ୟ ହିତାଧିକାରୀଙ୍କୁ ଭେଟିବା ନେଇ ମୋଦି ଲେଖିଛନ୍ତି, ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି । ଚା’ ପିଇବା ସହ ଆନନ୍ଦଦାୟକ ବର୍ତ୍ତାଳାପ କରିଥିଲି । ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବାରୁ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ମୋଦି ।

ଏହା ସହିତ ପୁଣି ଥରେ ଓଡିଶା ଆସିବାର ଅନୁଭୂତି ମଧ୍ୟ ମୋଦି ସେୟାର କରିଛନ୍ତି । ଏନେଇ ମୋଦି ଲେଖିଛନ୍ତି, ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ ।

Comments are closed.