Latest Odisha News

ହିନ୍ଦୀ ହାର୍ଟଲ୍ୟାଣ୍ଡ ହେଲା ଗେରୁଆ: ୨୪ ନିର୍ବାଚନରେ ହ୍ୟାଟ୍ରିକର ସଙ୍କେତ ଦେଲା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚାରଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିବାରୁ ସାରା ଦେଶରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଯୋଗ ଦେଇ ବିଜୟର ଶ୍ରେୟ ‘ସବକା ସାଥ୍ ସବକା ବିକାଶ’ର ଭାବନାକୁ ଦେଇଛନ୍ତି। ଏହି ବିଜୟ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକର ସଙ୍କେତ ଦେଇଛି ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି, ଆଜି ତିନୋଟି ରାଜ୍ୟରେ ସବକା ସାଥ-ସବକା ବିକାଶର ଭାବନା ଜିତାଇଛି। ଦେଶରେ କେବଳ ଚାରୋଟି ଜାତି ଅଛନ୍ତି ତାଙ୍କ ପାଇଁ ସେମାନେ ହେଲେ ଗରିବ, ଯୁବପିଢ଼ି, ମହିଳା ଓ କୃଷକ । ଏପରି କହି କଂଗ୍ରେସ ଏବଂ ଜେଡିୟୁ ଯେଉଁ ଜାତିଗତ ଜନଗଣନା ପାଇଁ ଅଭିଯାନ କରୁଛି ତାକୁ ଚେକ୍ ଦେଇଛନ୍ତି ମୋଦୀ।

ଦଳର ସଫଳତାରେ ମହିଳାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ମୋଦୀ । ଏ ଦେଶରେ ନାରୀ ଶକ୍ତି କେତେ ରହିଛି ତାହା ପୂର୍ବରୁ ସ୍ଥିର ହୋଇସାରିଛି ଯାହାର ଫଳ ସ୍ୱରୂପ ଆଜି ଆମେ ବିଜୟୀ ହୋଇପାରିଛୁ। ଦେଶର ପ୍ରତ୍ୟେକ ମହିଳା ବିଜେପି ସରକାରରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଏକ ନୂତନ ଶିଖରରେ ପହଞ୍ଚିବ ବୋଲି ବିଶ୍ୱାସ କରୁଛନ୍ତି। ମହିଳାଙ୍କ ସୁରକ୍ଷା ଦାୟିତ୍ୱ ଆମ ଦଳର ସବୁଠାରୁ ବଡ଼ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମାଜର ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ଦଳର ପ୍ରତିବଦ୍ଧତା ଉପରେ ମଧ୍ୟ ମୋଦୀ ଆଲୋକପାତ କରିଛନ୍ତି। ଆଜି ପ୍ରତ୍ୟେକ ନିରାଶ ବ୍ୟକ୍ତିଙ୍କ ମନରେ ଏହି ନିର୍ବାଚନ ଜିତିଲା ଭଳି ଭାବନା ରହିଛି। ପ୍ରତ୍ୟେକ ଚାଷୀ ଏହାକୁ ନିଜର ବିଜୟ ବୋଲି ଭାବୁଛନ୍ତି। ପ୍ରଥମ ଥର ଭୋଟ୍ ଦେଉଥିବା ପ୍ରତ୍ୟେକ ଭୋଟର କହୁଛନ୍ତି ଯେ ମୋ ଭୋଟ୍ ଯୋଗୁଁ ଏପରି ହୋଇଛି। ନିଜ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ଯୁବକ ଏହି ବିଜୟରେ ନିଜର ବିଜୟ ଦେଖୁଛନ୍ତି ବୋଲି କହିଛନ୍ତି।

ବିରୋଧୀଙ୍କୁ କଟାକ୍ଷ କରି ମୋଦି ସେମାନଙ୍କୁ ପ୍ରଶ୍ନ ପତ୍ର ଲିକ୍ ଓ ନିଯୁକ୍ତି ଦୁର୍ନୀତିକୁ ଟାର୍ଗେଟ୍ କରିଛନ୍ତି। ଆଜି ଦେଶର ଯୁବପିଢ଼ିଙ୍କ ଆତ୍ମବିଶ୍ୱାସ ବଢ଼ିବାରେ ଲାଗିଛି, ସେମାନଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କେବଳ ବିଜେପି ହିଁ କାମ କରିପାରିବ। ଆଜି ଦେଶର ଆଦିବାସୀ ସମ୍ପ୍ରଦାୟ ମଧ୍ୟ ସକ୍ରିୟ ଭାବେ ନିଜର ମତ ରଖୁଛନ୍ତି। ଏହା ହେଉଛି ସେହି ସମାଜ ଯାହା କଂଗ୍ରେସର ନୀତି ଯୋଗୁଁ ୭ ଦିନ ଯାଏଁ ବଞ୍ଚିତ ରହିଥିଲା। ଆଜି ଏହାର ଲୋକସଂଖ୍ଯା ୧୦ କୋଟି ପାଖାପାଖି ରହିଛି। ଆମେ ଗୁଜରାଟରେ ମଧ୍ୟ ଦେଖିଛୁ ଯେ ଆଦିବାସୀ ସମାଜ କଂଗ୍ରେସକୁ ସଫା କରିଦେଇଛି।

ଏହି ରାଜ୍ୟଗୁଡ଼ିକରେ ବିଜେପିର ବିପୁଳ ବିଜୟ ଭାରତର ପ୍ରଭାବଶାଳୀ ରାଜନୈତିକ ଶକ୍ତି ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଞ୍ଚ ପ୍ରସ୍ତୁତ କରିଛି।

Comments are closed.