Latest Odisha News

ହୃଦୟ ଛୁଇଁଲା ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କରିବା ଭିଡିଓ, ସେପଟେ ତୁଳା ବେହେରାଙ୍କୁ କଲେ ପ୍ରଶଂସା

କନ୍ଧମାଳ: ଆଜି ଓଡିଶାରେ ମାରାଥନ୍ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ କନ୍ଧମାଳରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହି ସମାରୋହରେ ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ମୋଦୀ । ମୋଦୀଙ୍କର ଏହି ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଥିସହ ଏହି ସମାବେଶରେ ବୃଦ୍ଧା ତୁଳା ଦେବୀଙ୍କର ମଧ୍ୟ ପାଦ ଛୁଇଁ ପ୍ରଣାମ କରିବା ସହ ପ୍ରଶଂସା କରିଛନ୍ତି ମୋଦୀ ।

ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ବୃଦ୍ଧା ତୁଳା ବେହେରାଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ପ୍ରଶଂସା କରି ତାଙ୍କର ତ୍ୟାଗ କଥା ସଭାରେ ବଖାଣିଥିଲେ । ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କେହି ନାହାଁନ୍ତି । ପ୍ରତିଦିନ ଭିକ୍ଷା ମାଗି ସେ ନିଜର ପେଟ ପୋଷନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ସେ ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିଜର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ସଭା ମଝିରେ ଯେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର କଣ ଆବଶ୍ୟକ ବୋଲି ପଚାରିଥିଲେ ସେତେବେଳେ କେବଳ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦରକାର ବୋଲି କହିଥିଲେ ବୃଦ୍ଧା ତୁଳା ବେହେରା ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିବା ଆଦିବାସୀ ମହିଳା ପୂର୍ଣ୍ଣମାସୀ ଜାନୀଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହିତ ତାଙ୍କ ପାଦ ଛୁଇଁଥିଲେ । କବିଙ୍କ ପାଦ ଛୁଇଁବାର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଖଜୁରୀପଡା ବ୍ଲକ ଅନ୍ତର୍ଗତ ଚାରିପଡା ନିବାସୀ ପୂର୍ଣ୍ଣମାସୀ ତାଡିସରୁ ବାଈ ଭାବେ ସାଧାରଣରେ ପରିଚିତ। ଦିନେ ବି ବିଦ୍ୟାଲୟ ଯାଇ ନ ଥିବା ତଥା ଭାଷା ସାହିତ୍ୟର ଅ ରୁ କ୍ଷ ଅକ୍ଷର ଜାଣିନଥିବା ତାଡିସରୁ ବାଈଙ୍କ କଣ୍ଠ ନିଶ୍ରୁତ ଅନର୍ଗଳ ଅସଂଖ୍ୟ ଭକ୍ତି ସଂଗୀତ କେବଳ କନ୍ଧମାଳ ଜିଲା ନୁହେଁ ବରଂ ସାରା ଓଡିଶାରେ ପ୍ରସିଦ୍ଧ ଲାଭ କରିଛି । ୮୦ ବର୍ଷୀୟ କବି ତଥା ସାମାଜିକ କାର୍ଯ୍ୟକର୍ତ୍ତା ପୂର୍ଣ୍ଣମାସୀ କୁଇ, ଓଡିଆ ଏବଂ ସଂସ୍କୃତରେ ୫୦,୦୦୦ରୁ ଅଧିକ ଭକ୍ତି ଗୀତ ରଚନା କରିଛନ୍ତି । ୨୦୨୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ପୂର୍ଣ୍ଣମାସୀ ଜାନୀ ।

Comments are closed.