Latest Odisha News

BREAKING NEWS

ପ୍ରଗତିର ରୋଡମ୍ୟାପ୍ ସରକାର ସ୍ଥିର କରିବେନି ବରଂ ଦେଶ ନିର୍ଦ୍ଧାରଣ କରିବ-ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଗତିର ରୋଡମ୍ୟାପ୍ କେବଳ ସରକାର ହିଁ ସ୍ଥିର କରିବେ ନାହିଁ ବରଂ ଦେଶ ନିର୍ଦ୍ଧାରଣ କରିବ। କେବଳ ସବକା ପ୍ରୟାସ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ କରିବାକୁ ପଡ଼ିବ । ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଲମ୍ଫ ପ୍ରଦାନ କରିବାକୁ ଯାଉଛି । ଭାରତ ପାଇଁ ଏହା ହେଉଛି ଉପଯୁକ୍ତ ସମୟ  । ‘ୟହି ସମୟ ହେ, ସହି ସମୟ ହୈ ।’ ଯେତେବେଳେ ଜାତୀୟ ପ୍ରୟାସ- ସ୍ୱାଧୀନତା ଉପରେ କେନ୍ଦ୍ରୀଭୂତ ହେଲା ସେତେବେଳେ ଆମର ସ୍ୱାଧୀନତା ସଂଗ୍ରାମ ଆମ ପାଇଁ ଏକ ବିରାଟ ପ୍ରେରଣା ସାଜିଲା । ଆଜି ଆପଣଙ୍କ ଲକ୍ଷ୍ୟ, ସଂକଳ୍ପ କେବଳ ଗୋଟିଏ ହେବା ଦରକାର  ବିକଶିତ ଭାରତ । ଏମିତି କହି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ରାଜଭବନରେ ଆୟୋଜିତ କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରି ବିକଶିତ ଭାରତର ବିକାଶ ପାଇଁ ଆଜିର କର୍ମଶାଳା ଆୟୋଜନ କରିଥିବାରୁ ସମସ୍ତ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ,  ଏକ ରାଷ୍ଟ୍ର କେବଳ ସେଠାକାର ଲୋକଙ୍କ ବିକାଶ ଦ୍ୱାରା ବିକଶିତ ହୋଇଥାଏ। ସାମ୍ପ୍ରତିକ ଯୁଗରେ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭଏସ୍ ଅଫ୍ ୟୁଥ୍ କର୍ମଶାଳାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ପାଇଁ “ଏହି ଅମୃତ କାଳ ଜାରି ରହିଛି” ଏବଂ “ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନ କରିବାକୁ ଯାଉଛି”। ସେ ନିକଟବର୍ତ୍ତୀ କେତେକ ଦେଶର ଉଦାହରଣ ଦେଇଥିଲେ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବ୍ୟାପକ ମାତ୍ରାରେ ପ୍ରଗତି ଦିଗରେ ଆଗକୁ ବଢ଼ି ବିକଶିତ ରାଷ୍ଟ୍ରରେ ପରିଣତ ହୋଇଥିଲେ।
ସ୍ୱାଧୀନତା ପାଇଁ ଗୌରବମୟ ସଂଘର୍ଷକୁ ପ୍ରେରଣାର ଉତ୍ସ ଭାବେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ବିକଶିତ ଭାରତ’ର ମିଳିତ ଲକ୍ଷ୍ୟ ହାସଲ ଦିଗରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଯୁବକମାନଙ୍କ ଶକ୍ତିକୁ ନିୟୋଜିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଚାରର ବିବିଧତାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ଗଠନ ଦିଗରେ ସମସ୍ତ ଧାରାକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ସମସ୍ତଙ୍କୁ ନିଜ ସୀମା ଅତିକ୍ରମ କରି ବିକଶିତ ଭାରତ@୨୦୪୭ ପରିକଳ୍ପନାରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ। ଯେମିତି ‘ଆଇଡିଆ’ ‘ଆଇ’ ରୁ ଏବଂ ‘ଇଣ୍ଡିଆ’ ‘ଆଇ’ ବା ‘ମୁଁ’ରୁ ଆରମ୍ଭ ହୁଏ, ସେମିତି ବିକାଶ ପ୍ରୟାସ ନିଜଠାରୁ ଆରମ୍ଭ ହୋଇପାରିବ ବୋଲି ସେ କହିଥିଲେ ।

ଦେଶର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଯୁବବର୍ଗଙ୍କ ଦ୍ୱାରା ସଶକ୍ତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଆଗାମୀ ୨୫-୩୦ ବର୍ଷ ପାଇଁ କର୍ମଜୀବୀ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦୁନିଆରେ ଅଗ୍ରଣୀ ହେବାକୁ ଯାଉଛି ଏବଂ ବିଶ୍ୱ ଏହାକୁ ସ୍ୱୀକାର କରୁଛି । ଯୁବଶକ୍ତି ଉଭୟ ପରିବର୍ତ୍ତନର ବାହକ ଏବଂ ପରିବର୍ତ୍ତନର ହିତାଧିକାରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଆଗାମୀ ୨୫ ବର୍ଷ ଆଜିର କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କ କ୍ୟାରିୟର ପାଇଁ ନିର୍ଣ୍ଣାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

Leave A Reply

Your email address will not be published.