ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ଭାରତ-ପାକିସ୍ତାନ ଉତ୍ତେଜନା ଉପରେ କିଛି କହିବେ ବୋଲି ଆଶା କରାଯାଉଛି।
ପାକିସ୍ତାନ ସହିତ ଚାଲିଥିବା ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ନଜର ରଖିଥିବା ବେଳେ ତିନି ସଶସ୍ତ୍ର ବାହିନୀର ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା, ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ନିରନ୍ତର ବୈଠକ ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ, ଗତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଜବାବରେ ମେ ୭ ରାତିରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହି ଆଡ୍ଡାଗୁଡ଼ିକରେ ରହୁଥିବା ଅନେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।
ତେବେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗୁଳିମାଡ଼ ସହିତ ଡ୍ରୋନ୍ ଆକ୍ରମଣ କରି ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା। ଏପରିକି ଭାରତର ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନଥିଲା।
ସେପଟେ ଭାରତ ମଧ୍ୟ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ଭାରତ, ପାକିସ୍ତାନର ଅନେକ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ନୁର ଖାନ ମଧ୍ୟ ସାମିଲ ଥିଲା। ଭାରତର ଆକ୍ସନ ପରେ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପାକିସ୍ତାନର ଏୟାରବେସ ଉପରେ କ୍ଷେପଣାସ୍ତ୍ର ମାଡ଼ ପରେ ନିଆଁ ଜଳୁଥିବାର ଦେଖାଯାଇଛି।
ଅଧିକ ପଢନ୍ତୁ:- ବଡ଼ ଘୋଷଣା, ପାକିସ୍ତାନ ସହ ଅସ୍ତ୍ରବିରତି ପାଇଁ ସହମତ ହେଲା ଭାରତ
ପରେ ମେ ୧୦ ସନ୍ଧ୍ୟା ୫ଟାରେ ହଠାତ୍ ଭାରତ ଓ ପାକ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା।
Comments are closed.