Latest Odisha News

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର, ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ। ପ୍ରାୟ ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂ । ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ଏକ ପ୍ରବେଶ ପଥ ଭାବରେ ପୋର୍ଟବ୍ଲେୟାର ପର୍ଯ୍ୟଟକଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳ। ବିସ୍ତୃତ ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂ ଏୟାର ଟ୍ରାଫିକ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବଢ଼ାଇବାରେ ସାହାଯ୍ୟ କରିବ। ଏହା ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏବଂ ଅଞ୍ଚଳର ଅର୍ଥନୀତିକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିବ।

ପ୍ରାୟ ୪୦,୮୦୦ ବର୍ଗମିଟରରେ ନିର୍ମିତ ନୂତନ ଟର୍ମିନାଲ ବିଲ୍ଡିଂ ବାର୍ଷିକ ପ୍ରାୟ ୫୦ ଲକ୍ଷ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ଦୁଇଟି ବୋଇଂ-୭୬୭-୪୦୦ ଏବଂ ଦୁଇଟି ଏୟାରବସ-୩୨୧ ପାଇଁ ଉପଯୁକ୍ତ ଆପ୍ରୋଚ ମଧ୍ୟ ପୋର୍ଟବ୍ଲେୟାର ବିମାନବନ୍ଦରରେ ୮୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ବିମାନବନ୍ଦରକୁ ଏକ ସମୟରେ ଦଶଟି ବିମାନ ପାର୍କିଂ ପାଇଁ ଉପଯୁକ୍ତ କରିଛି।

ଏହି ବିମାନବନ୍ଦର ଟର୍ମିନାଲର ସ୍ଥାପତ୍ୟ ଡିଜାଇନ ସମୁଦ୍ର ଏବଂ ଦ୍ୱୀପପୁଞ୍ଜକୁ ଚିତ୍ରିତ କରୁଥିବା ଏକ ଶାମୁକା ଆକୃତିର ଗଠନ ସହିତ ସମାନ। ନୂତନ ବିମାନବନ୍ଦର ଟର୍ମିନାଲ ବିଲ୍ଡିଂରେ ଅନେକ ବୈଶିଷ୍ଟ୍ୟ ରହିଛି ଯଥା ଉତ୍ତାପ ବୃଦ୍ଧି ହ୍ରାସ କରିବା ପାଇଁ ଡବଲ ଇନସୁଲେଟେଡ ଛାତ ପ୍ରଣାଳୀ, ବିଲ୍ଡିଂ ଭିତରେ ପ୍ରାକୃତିକ ଆଲୋକ ବ୍ୟବହାର, ଏଲ୍‌ଇଡି ଲାଇଟ୍, କମ ଉତ୍ତାପ ବୃଦ୍ଧି ପାଇଁ ଗ୍ଲାସ ସହ ଦିନରେ ପ୍ରଚୁର ପ୍ରାକୃତିକ ସୂର୍ଯ୍ୟ କିରଣ ଯୋଗାଇବା ପାଇଁ ସ୍କାଏଲାଇଟ୍ ରହିଛି। ଭୂତଳ ଜଳ ଟାଙ୍କିରେ ବର୍ଷା ଜଳ ଧରିବା, ୧୦୦% ବିଶୋଧିତ ବର୍ଜ୍ୟଜଳ ବ୍ୟବହାର ଏବଂ ୫୦୦ କିଲୋୱାଟ କ୍ଷମତା ବିଶିଷ୍ଟ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଦ୍ବୀପପୁଞ୍ଜର ପରିବେଶ ଉପରେ ସର୍ବନିମ୍ନ ନକାରାତ୍ମକ ପ୍ରଭାବକୁ ସୁନିଶ୍ଚିତ କରିଥାଏ।

Leave A Reply

Your email address will not be published.