Latest Odisha News

BREAKING NEWS

ଅମୃତ ଭାରତ ଯୋଜନା; ଆଜି ୫୦୮ ଷ୍ଟେସନର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ୫୦୮ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏହି ସବୁ ଷ୍ଟେସନର ପୁନର୍ବିକାଶ ହେବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶା ଏବଂ ପୂର୍ବତଟ ରେଳପଥରେ ୫୭ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି।

ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ମୋଦି ଆଜି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୪ ହଜାର ୪୭୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଏହି ପୁନଃ ନିର୍ମାଣ କରାଯିବ। ଏନେଇ ସିଟି ସେଣ୍ଟର ଭାବରେ ଷ୍ଟେସନ ଗୁଡିକର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ସହରର ସାଗ୍ରିକ ବିକାଶ ଦୃଷ୍ଟିକୋଣ ଅନୁସାରେ ଏହି ରେଳ ଷ୍ଟେସନ ପୁନଃ ନିର୍ମାଣ କରାଯାଉଛି।

ଓଡ଼ିଶାର ୨୫ଟି ଷ୍ଟେସନର ମଧ୍ୟ ରହିଛି ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ମେରାମଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ଟେମ୍ପୁଲ ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଜି, ବରଗଡ଼ ରୋଡ୍, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗିର, ହରିଶଙ୍କର ରୋଡ୍, ଭବାନୀପାଟଣା, ଖରିଆର ରୋଡ୍, ଦାମନଯୋଡ଼ି, ବଡ଼ବିଲ, ରାଜଗାଙ୍ଗପୁର, ବାରିପଦା ଓ ଜଳେଶ୍ୱର। ଏହି ଷ୍ଟେସନଗୁଡିକ ପାଇଁ ୫୩୧.୮ କୋଟି ବ୍ୟୟବରାଦ ହୋଇଛି ଏବଂ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ପୁନର୍ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପର ମାଷ୍ଟରପ୍ଲାନିଂ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଉକ୍ତ ଷ୍ଟେସନରେ ସ୍ଥାନୀୟ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ କୃତି ରହିବ। ଷ୍ଟେସନର ବିଲ୍ଡିଂ ଉନ୍ନତି ଏବଂ ପୁନଃ ବିକାଶ କରାଯିବ। ଆଧୁନିକ ଯାତ୍ରା ବ୍ୟବସ୍ଥା କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି ଯେ, ୬ ଅଗଷ୍ଟ ରେଳ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଦିବସ ହେବାକୁ ଯାଉଛି। ଐତିହାସିକ ଅମୃତ ଭାରତ ଷ୍ଟେସନ ସ୍କିମ ଅନ୍ତର୍ଗତ ୨୫ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଯାଉଥିବା ଷ୍ଟେସନଗୁଡ଼ିକର ପୁନର୍ବିକାଶ ରେଳ ଭିତ୍ତିଭୂମି କ୍ଷେତ୍ରରେ କ୍ରାନ୍ତି ଆଣିବ। ଏହା ଲୋକଙ୍କ ଜୀବନକୁ ସହଜ କରିବ ଏବଂ ଆରାମ ଓ ସୁବିଧା ବୃଦ୍ଧି କରିବ।

Comments are closed.