Latest Odisha News

ସସପେନ୍ସରୁ ଉଠିଲା ପରଦା, ୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଥିରୁଅନନ୍ତପୁରମ: ଗତ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନର ଘୋଷଣା କରିଥିଲେ । ସେବେଠାରୁ ସମ୍ଭାବ୍ୟ ମହାକାଶଚାରୀଙ୍କ ନାମ ଗୋପନ ରଖାଯାଇଥିଲା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୪ ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି । ମୋଦୀଙ୍କ ଘୋଷଣା ପୂର୍ବରୁ ଗଣମାଧ୍ୟମରେ ୪ଜଣ ମହାକାଶଚାରୀଙ୍କ ନାମ ଘୁରି ବୁଲୁଥିଲା । କୁହାଯାଉଥିଲା ଯେ ଏହି ୪ଜଣ ମହାକାଶଚାରୀ ଗଗନଯାନରେ ମହାକାଶକୁ ଯାତ୍ରା କରିବେ । ସେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ମୋଦୀ ସେହି ୪ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଗଗନଯାନ ମିଶନ ପାଇଁ ଘୋଷଣା କରାଯାଇଥିବା ୪ ମହାକାଶଚାରୀମାନେ ହେଉଛନ୍ତି ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମଦୀ । ତେବେ ଏହା ପୂର୍ବରୁ ଚର୍ଚ୍ଚା କରାଯାଉଥିବା ୪ ମହାକାଶଚାରୀଙ୍କ ମଧ୍ୟରୁ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣନଙ୍କ ନାମ ଥିବା ବେଳେ ଚୌହାନ (ସମ୍ପୂର୍ଣ୍ଣ ନାମ ଜଣା ପଡିନାହିଁ )ଙ୍କ ନାମ ତାଲିକାରେ ନାହିଁ । ତେବେ ଘୋଷଣା ହୋଇଥିବା ଏହି ୪ଜଣ ମହାକାଶଚାରୀ ହେଉଛନ୍ତି ୱିଙ୍ଗ୍ କମାଣ୍ଡର କିମ୍ବା ଗ୍ରୁପ୍ କ୍ୟାପଟେନ୍ । ସମସ୍ତ ଚାରିଜଣ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ ।

ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ହେବାକୁ ମନୋନୀତ ହୋଇଥିବା ଅନେକ ଟେଷ୍ଟ ପାଇଲଟଙ୍କ ମଧ୍ୟରୁ ୧୨ ଜଣ ସେପ୍ଟେମ୍ବର ୨୦୧୯ ରେ ବେଙ୍ଗାଲୁରୁରେ ପ୍ରଥମ ସ୍ତର ପାର କରିଥିଲେ । ଭାରତୀୟ ବାୟୁସେନା ଅଧୀନରେ ଥିବା ଏକ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ (ଆଇଏମ୍) ଦ୍ୱାରା ଏହି ଚୟନ କରାଯାଇଥିଲା । ୨୦୨୦ ପ୍ରାରମ୍ଭରେ, ISRO ପ୍ରାରମ୍ଭିକ ତାଲିମ ପାଇଁ ଚାରିଜଣଙ୍କୁ ଋଷିଆକୁ ପଠାଇଥିଲା । କିନ୍ତୁ କୋଭିଡ୍ ହେତୁ ଏହି ତାଲିମରେ କିଛି ଦିନ ବିଳମ୍ବ ହୋଇ ଶେଷରେ ୨୦୨୧ରେ ତାଲିମ ସମାପ୍ତ ହୋଇଥିଲା |

 

Comments are closed.