ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା। ଆମେରିକାର ମର୍ନିଂ କନ୍ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଜୁଲାଇ ୨୦୨୫ ସର୍ଭେ ରିପୋର୍ଟ ତାଲିକାରେ ଶୀର୍ଷରେ ମୋଦି। ପିଏମ୍ ମୋଦିଙ୍କୁ ମିଳାଲା ୭୫% ଲୋକଙ୍କ ଆପ୍ରୁଭାଲ୍ ରେଟିଂ। ରିପୋର୍ଟରେ ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି।
୨୦ରୁ ଉର୍ଦ୍ଧ୍ଵ ଦେଶର ନେତାଙ୍କୁ ନେଇ ଜୁଲାଇ ୪ରୁ ୧୦ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ୭୫ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରିଛନ୍ତି। ସେହିପରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ କୋରିଆର ରାଷ୍ଟ୍ରପତି ଜି ଜେ-ମ୍ୟୁଙ୍ଗ। ତାଙ୍କୁ ୫୯ ପ୍ରତିଶତ ରେଟିଂ ମିଳିଛି। ତାଙ୍କ ପଛକୁ ତୃତୀୟ ସ୍ଥାନରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଅର ମିଲେଇ ରହିଛନ୍ତି। ତାଙ୍କୁ ୫୭ ପ୍ରତିଶତ ଲୋକ ସମର୍ଥନ କରୁଛନ୍ତି। ବିଜେପି ଆଇଟି ସେଲ୍ର ହେଡ୍ ଅମିତ ମାଳବୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ରିପୋର୍ଟକୁ ସେୟାର କରିଛନ୍ତି।
ଲୋକପ୍ରିୟ ନେତାଙ୍କ ତାଲିକାର ଚତୁର୍ଥ ନମ୍ଵରରେ କାନାଡ଼ାର ମାର୍କ କାର୍ନି ରହିଛନ୍ତି। ତାଙ୍କୁ ୫୬ ପ୍ରତିଶତ ସମର୍ଥନ ମିଳିଛି। ୫ମ ସ୍ଥାନରେ ଅଷ୍ଟ୍ରେଲିଆର ଏନ୍ଥୋନୀ ଅଲ୍ବନିଜ ରହିଛନ୍ତି। ତାଙ୍କୁ ୫୪ ପ୍ରତିଶତ ରେଟିଂ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ର ୪୪ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ତାଙ୍କୁ ୫୦ ପ୍ରତିଶତ ଲୋକ ବିରୋଧ କରୁଛନ୍ତି। ସବୁଠୁ କମ୍ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ହେଉଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଏବଂ ଚେକ ରିପବ୍ଲିକ୍ ପ୍ରଧାନମନ୍ତ୍ରୀ ପେଟ୍ରୋ ଫିଆଲ୍। ସେମାନଙ୍କୁ କେବଳ ୧୮% ପ୍ରତିଶତ ଲୋକ ପସନ୍ଦ କରୁଥିବା ବେଳେ ୭୪% ଲୋକ ନାପସନ୍ଦ କରୁଛନ୍ତି।
Comments are closed.