ନାଗପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁର ସ୍ଥିତ ଆରଏସଏସ ପ୍ରତିଷ୍ଠାତା ଡକ୍ଟର କେ.ବି ହେଡଗେଓ୍ବାରଙ୍କ ସମାଧି ସ୍ଥଳ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ, ଏଠାକୁ ଏହା ମୋଦିଙ୍କର ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀ ଆରଏସଏସ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାର ଏବଂ ଦ୍ୱିତୀୟ ସରସଂଘଚାଳକ (ମୁଖ୍ୟ) ଏମ୍ ଏସ୍ ଗୋଲୱାଲକରଙ୍କ ପ୍ରତି ସମର୍ପିତ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏଥିସହିତ ଏହି ଗସ୍ତରେ ଥିବା ବେଳେ ମୋଦି ହେଡଗେୱାର ସ୍ମୃତି ମନ୍ଦିରରେ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି ।
ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀରେ ଲେଖିଛନ୍ତି, ମୁଁ ପୂଜ୍ୟ ଡକ୍ଟର ହେଡଗେୱାର ଜୀ ଏବଂ ସମ୍ମାନିତ ଗୁରୁଜୀମାନଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି ସ୍ମାରକୀ ମନ୍ଦିର ପରିଦର୍ଶନ କରିବା ପରେ ମୁଁ ଅଭିଭୂତ ଅନୁଭବ କରୁଛି । ଯାହା ସେମାନଙ୍କ ସ୍ମୃତିକୁ ସଂରକ୍ଷିତ କରି ରଖିଛି । ଭାରତୀୟ ସଂସ୍କୃତି, ଜାତୀୟତାବାଦ ଏବଂ ସଂଗଠନର ମୂଲ୍ୟବୋଧ ପ୍ରତି ସମର୍ପିତ ଏହି ପବିତ୍ର ସ୍ଥାନ ଆମକୁ ରାଷ୍ଟ୍ର ସେବାରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ ବୋଲି ଲେଖିଛନ୍ତି ମୋଦି । ଏହି ସ୍ଥାନ ସହିତ ଜଡିତ ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ରାଷ୍ଟ୍ର ସେବା ପାଇଁ ପ୍ରତିବଦ୍ଧ ଲକ୍ଷ ଲକ୍ଷ ସ୍ୱେଚ୍ଛାସେବକଙ୍କ ପାଇଁ ଶକ୍ତିର ଉତ୍ସ ଭାବରେ କାର୍ଯ୍ୟ କରୁଛି । ଏଥିସହିତ ସେ ଆମର ପ୍ରୟାସ ମାଧ୍ୟମରେ ଭାରତ ମାତାର ଗୌରବ ଉଜ୍ଜ୍ୱଳ ହେଉ ବୋଲି ଲେଖି, ଏକ ଶକ୍ତିଶାଳୀ ଏବଂ ସଂଯୁକ୍ତ ରାଷ୍ଟ୍ରର ତାଙ୍କ ଦୃଷ୍ଟିକୋଣକୁ ପୁନଃନିର୍ଦ୍ଦିଷ୍ଟ କରି ଭାରତର ନିରନ୍ତର ଗୌରବ କାମନା କରିଛନ୍ତି ମୋଦି
ତେବେ ସଂଘର ପ୍ରତିପଦ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ହୋଇଛି । ଯାହା ଗୁଡି ପଡୱା, ହିନ୍ଦୁ ନବବର୍ଷର ଆରମ୍ଭ । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଆରଏସଏସର ପ୍ରଶାସନିକ ମୁଖ୍ୟାଳୟ ରେଶିମବାଗରେ ସ୍ମୃତୀ ମନ୍ଦିର ଗସ୍ତ ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହାପରେ ମୋଦି ମାଧବ ନେତ୍ରାଳୟ ଚକ୍ଷୁ ପ୍ରତିଷ୍ଠାନ ଏବଂ ଗବେଷଣା କେନ୍ଦ୍ରର ଏକ ସମ୍ପ୍ରସାରଣ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟର ମଧ୍ୟ ଶିଳାନ୍ୟାସ କରିଥିଲେ । ଯେଉଁଥିରେ ୨୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ, ୧୪ଟି ବାହ୍ୟ ରୋଗୀ ବିଭାଗ (ଓପିଡି) ଏବଂ ୧୪ଟି ମଡ୍ୟୁଲାର୍ ଅପରେସନ୍ ଥିଏଟର୍ ସୁବିଧା ଯୋଡି ହୋଇଛି ।
ଏହାପରେ ପିଏମ ମୋଦି, ସୋଲାର ଡିଫେନ୍ସ ଆଣ୍ଡ୍ ଏରୋସ୍ପେସ୍ ଲିମିଟେଡର ଗୋଳାବାରୁଦ ସୁବିଧା ପରିଦର୍ଶନ କରିବେ, ଯେଉଁଠାରେ ସେ ମାନବବିହୀନ ବାୟୁ ଯାନ (ୟୁଏଭି) ପାଇଁ ଡିଜାଇନ୍ କରାଯାଇଥିବା ଏକ ନବନିର୍ମିତ ୧୨୫୦ ମିଟର ଲମ୍ବା ଏବଂ ୨୫ ମିଟର ଚଉଡା ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ । ସେ ଲୋଇଟରିଂ ଗୋଳାବାରୁଦ ଏବଂ ଅନ୍ୟାନ୍ୟ ଗାଇଡେଡ୍ ଗୋଳାବାରୁଦ ପାଇଁ ଲାଇଭ୍ ଗୋଳାବାରୁଦ ଏବଂ ଯୁଦ୍ଧାସ୍ତ୍ର ପରୀକ୍ଷଣ ସୁବିଧା ମଧ୍ୟ ଖୋଲିବାର କାର୍ଯ୍ୟକ୍ରମ ରହିଛି ।
ନାଗପୁର ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଛତିଶଗଡ଼ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଯେଉଁଠାରେ ସେ ୩୩,୭୦୦ କୋଟିରୁ ଅଧିକ ମୂଲ୍ୟର ବିଦ୍ୟୁତ୍, ତୈଳ ଏବଂ ଗ୍ୟାସ୍, ରେଳ, ରାସ୍ତା, ଶିକ୍ଷା ଏବଂ ଗୃହ କ୍ଷେତ୍ର ସହିତ ଜଡିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି ।
Comments are closed.