Latest Odisha News

କଥା ଦେଇ କଥା ରଖିଲେ ମୋଦି

ପୁରୀ: କଥା ଦେଇ କଥା ରଖିଲେ ମୋଦି । କହିଥିଲେ ତୁମ ଠିକଣା ଫଟୋରେ ଲେଖ ମୁଁ ତୁମକୁ ଚିଠି ଲେଖିବି । ଆଉ ଆଜି ବାସ୍ତବରେ ସେଇଆ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଥା ରଖି ଚିଠି ଲେଖିଛନ୍ତି ଆଉ ଶୁଭେଚ୍ଛା ବି ପଠାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଗୋଟିଏ କଥା ବେଶ୍ ସମାନ ଥାଏ । ସଭାରେ ମୋଦିଙ୍କ ପ୍ରଶଂସକ ମୋଦୀଙ୍କୁ ଭେଟିବାକୁ ଆସିବା ବେଳେ ତାଙ୍କ ପାଇଁ କିଛି ନା କିଛି ଉପହାର ଆଣିଥାନ୍ତି । ଯାହାକୁ ଅତି ଆନନ୍ଦର ସହ ଗ୍ରହଣ କରନ୍ତି ମୋଦି । ଖାଲି ଗ୍ରହଣ କରନ୍ତି ନାହିଁ, ଗ୍ରହଣ କରିଥିବା ବ୍ୟକ୍ତିଙ୍କ ପାଖକୁ ଚିଠି ମଧ୍ୟ ଲେଖନ୍ତି, କୁହନ୍ତି ଉପହାର ପଛରେ ତୁମ ନାମ ଓ ଠିକଣା ଲେଖିଦିଅ, ମୁଁ ତୁମକୁ ଚିଠି ନିଶ୍ଚୟ ଲେଖିବି ।

ଆଉ ଆଜି ନିଜ ପ୍ରତିଶ୍ରୁତି ରଖିଛନ୍ତି ମୋଦୀ । କାର୍ଯ୍ୟବ୍ୟସ୍ତତା ଭିତରୁ ବି ସମୟ ବାହାର କରି ଆୟୁଷଙ୍କୁ ଚିଠି ଲେଖିଛନ୍ତି । ଏ ହେଉଛନ୍ତି ପୁରୀ ମଧୁବନ ଗାଁର ୧୦ ଶ୍ରେଣୀ ପାସ୍ କରିଥିବା ଛାତ୍ର ତଥା ସ୍ପିଡ୍ ଆର୍ଟିଷ୍ଟ ଆୟୁଷ ମହାପାତ୍ର । ପୁରୀରେ ରୋଡ ଶୋ ସମୟରେ ଆୟୁଷ ପ୍ରଭୁ ରାମଲଲାଙ୍କ ଚିତ୍ରପଟ୍ଟ ମୋଦିଙ୍କୁ ଭେଟି ଦେବା ପାଇଁ ଆଣିଥିଲେ । ହେଲେ ମନ ଭିତରେ ଆଶଙ୍କା ବି ଥାଏ । ଏତେ ଗହଳି ଭିତରେ ତାଙ୍କ ଫଟୋ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରିବ ତ । ହେଲେ ଏତେ ଭିଡ ଭିତରେ ସେଦିନ ମୋଦିଙ୍କ ଦୃଷ୍ଟି ଆୟୁଷଙ୍କ ପେଣ୍ଟିଙ୍ଗ ଉପରେ ପଡିଥିଲା । ଆଉ ଏବେ ପେଣ୍ଟିଂକୁ ନେଇ ଚିଠି ଲେଖିଥିବାରୁ ଖୁସିରେ ଫାଟି ପଡୁଛନ୍ତି ଆୟୁଷ ଓ ତାଙ୍କ ପରିବାର ।

ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବେଲେ ପ୍ରଭୁ ରାମଲଲାଙ୍କ ଏହି ସୁନ୍ଦର ମୂର୍ତ୍ତିଟିକୁ ନିଜ ହାତରେ ପ୍ରସ୍ତୁତ କରିଥିଲେ ଆୟୁଷ । କାନଭାସକୁ ଓଲଟା କରି ୯ ମିନିଟ୍ ମଧ୍ୟରେ ୫ ଫୁଟ୍ ର ରାମଲାଲାଙ୍କ ପ୍ରତିକୃତି ଆଙ୍କିଥିଲେ । ସେବେଠୁ ତାଙ୍କ ମନରେ ଘୋଟିଏ ଇଚ୍ଛା ଥିଲା କେବେ ସେ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଭେଟି ଏହି ପେଣ୍ଟିଂଙ୍କୁ ଭେଟି ଦେବେ । ଆଉ ଶେଷରେ ମୋଦି ପୁରୀ ଗସ୍ତ ବେଳେ ଏହାକୁ ସାଦରରେ ଗ୍ରହଣ କରିଥିଲେ । ଯାହାପରେ ସେ ଚିଠି ଲେଖି ଏହି ପେଣ୍ଟିଙ୍ଗର ପ୍ରଶଂସା କରିବା ସହିତ ଆୟୁଷଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଯାହାକୁ ଦେଖି ଆତ୍ମହରା ହୋଇପଡିଛନ୍ତି ଆୟୁଷ ।

ପ୍ରଧାନମନ୍ତ୍ରୀ ମୋଦି ଚିଠିରେ ଆୟୁଷଙ୍କ ପାଇଁ ଅନେକ ପ୍ରେରଣାଦାୟୀ କଥା ଲେଖିଛନ୍ତି । ଆୟୁଷଙ୍କ ଏହି ପେଣ୍ଟିଂ ତାଙ୍କୁ ଲୋକଙ୍କ ସେବା ପାଇଁ ଆହୁରି ଅଧିକ ପ୍ରେରଣା ଦେଇଛି ବୋଲି କହିଛନ୍ତି ମୋଦୀ । ଏହା ସହିତ ଆୟୁଷଙ୍କୁ ଏଭଳି ଦକ୍ଷତା ଓ କ୍ରିଏଟିଭିଟିକୁ ବଜାୟ ରଖିବାପାଇଁ ପରାମର୍ଶ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପୁରୀରୁ ସନ୍ତୋଷ କୁମାର ଦାସଙ୍କ ରିପୋର୍ଟ ଓଡ଼ିଶା ସମ୍ବାଦ

Leave A Reply

Your email address will not be published.