Latest Odisha News

BREAKING NEWS

ହଜିବ ଶତ୍ରୁର ନିଦ; ୩ ବିଧ୍ବଂସକ ଯୁଦ୍ଧ ଜାହାଜ ସହ ଆହୁରି ବଳବାନ ହେଲା ନୌସେନା

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଭାରତୀୟ ନୌସେନାକୁ ମିଳିଲା ୩ ବିଧ୍ବଂସକ ଯୁଦ୍ଧପୋତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ଗସ୍ତ କରି ୩ ଯୁଦ୍ଧପୋତ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଭାରତର ସାମୁଦ୍ରିକ ଐତିହ୍ୟ, ନୌସେନାର ଗୌରବମୟ ଇତିହାସ ଏବଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ପାଇଁ ଏକ ବଡ଼ ଦିନ । ଆଜି ଭାରତ ନୌସେନାକୁ ସୁଦୃଢ଼ ​​କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଉଛି । ସେ ଏହା ମଧ୍ୟ କହିଥିଲେ ଯେ ଆଜି ଭାରତ ସାରା ବିଶ୍ୱରେ ଏବଂ ବିଶେଷକରି ଗ୍ଲୋବାଲ୍ ସାଉଥ୍‌ରେ ଏକ ବିଶ୍ୱସ୍ତ ଏବଂ ଦାୟିତ୍ୱବାନ ସାଥୀ ଭାବରେ ଜଣା ଯାଉଛି ।

ପ୍ରଧାନମନ୍ତ୍ରୀ ଏହି ବିଶେଷ ଅବସରରେ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ନୌସେନାକୁ ନୂତନ ଶକ୍ତି ଏବଂ ଦୃଷ୍ଟିକୋଣ ଦେଇଥିଲେ । ଆଜି, ଏହି ପବିତ୍ର ଭୂମିରେ, ଆମେ 21 ଶତାବ୍ଦୀର ନୌସେନାକୁ ସୁଦୃଢ଼ ​​କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛୁ । ଏହା ପ୍ରଥମ ଥର ଯେ ଏକ ବିଧ୍ବଂସକ ଯୁଦ୍ଧପୋତ, ଫ୍ରିଗେଟ୍ ଏବଂ ବୁଡ଼ାଜାହାଜକୁ ଏକକାଳୀନ କାର୍ଯ୍ୟକ୍ଷମ କରାଯାଉଛି । ଏହା ଗର୍ବର ବିଷୟ ଯେ ଏହି ତିନୋଟି ଭାରତରେ ନିର୍ମିତ ।

ସୂଚନାଯୋଗ୍ୟ, ଆଇଏନଏସ ସୁରତ ବିଶ୍ବର ବିଧ୍ବଂସକ ଯୁଦ୍ଧପୋତ ଭିତରୁ ଅନ୍ୟତମ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସର ଏହି ଯୁଦ୍ଧପୋତକୁ ଆହୁରି ବିଧ୍ବଂସକ କରିଛି । ୭୪୦୦ ଟନ ବିଶିଷ୍ଟ ଆଇଏନଏସ ସୁରତ ଘଣ୍ଟାପ୍ରତି ୫୬ କିମି ବେଗରେ ସମୁଦ୍ରରେ ଗତି କରିବ । ଥରକରେ ଏହା ୭୫୦୦ କିଲୋମିଟର ପର୍ଯ୍ୟନ୍ତ ସମଦ୍ରରେ ଯାତ୍ରା କରିପାରିବ । ୫୦ ଜଣ ଅଫିସର ଓ ୨୫୦ ନୌସେନିକଙ୍କୁ ନେଇ ଯାତ୍ରା କରିପାରିବ ଏହି ଯୁଦ୍ଧପୋତ ।

ସେହିପରି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଓ ବିଧ୍ବଂସକ ଯୁଦ୍ଧପୋତ ଆଇଏନଏସ ନୀଳଗିରି ଜଳପଥରେ ଶତ୍ରୁ ଶିବିର ଉପରକୁ କରିହେବ ଆକ୍ରମଣ । ବିଶ୍ବର ବିଧ୍ବଂସୀ ମିଜାଇଲକୁ ଏହି ଯୁଦ୍ଧପୋତରୁ ମାଡ କରିହେବ । ୬୬୭୦ ଟନ ବିଶିଷ୍ଟ ଏହି ଯୁଦ୍ଧପୋତ ପି-୧୭ଏ ଷ୍ଟେଲଥ୍ ପ୍ରୋଜେକ୍ଟରେ ନିର୍ମିତ ହୋଇଛି । ଉଭୟ ଆକାଶମାର୍ଗ ଓ ପାଣି ଭିତରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେବ ।

ଏହା ଉପରେ ଅତ୍ୟାଧୁନିକ ଚେତକ, ସି କିଙ୍ଗ ଓ ଏମଏଚ-୬୦ଆର ହେଲିକପ୍ଟର ଅବତରଣ କରିପାରିବ । ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ କରୁଥିବା ବ୍ରହ୍ମୋସ ମିସାଇଲ ଏହି ଯୁଦ୍ଧପୋତରେ ରହିଛି ।

ସେହିପରି, ପି-୭୫ ସ୍କୋର୍ପିନ୍ ପ୍ରକଳ୍ପର ଷଷ୍ଠ ଏବଂ ଶେଷ ବୁଡ଼ାଜାହାଜ ଆଇଏନଏସ ବାଘଶୀର, ବୁଡ଼ାଜାହାଜ ନିର୍ମାଣରେ ଭାରତର ବର୍ଦ୍ଧିତ ଶକ୍ତିକୁ ପ୍ରଦର୍ଶନ କରୁଛି । ଏହା ଫ୍ରାନ୍ସର ନୌସେନା ଗୋଷ୍ଠୀ ସହଯୋଗରେ ନିର୍ମାଣ କରାଯାଇଛି । ଏହି ବୁଡ଼ାଜାହାଜଟି ଶତ୍ରୁ ରାଡାରକୁ ଏଡାଇବା, ଭୂଖଣ୍ଡ ଉପରେ ନଜର ରଖିବା, ଗୁପ୍ତ ସୂଚନା ସଂଗ୍ରହ କରିବା, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଶବ୍ଦ ନିୟନ୍ତ୍ରଣ କରିବା, କମ୍ ଶବ୍ଦ ନିର୍ଗତ କରିବା ଏବଂ ଜଳବାୟୁ ଅନୁସାରେ ଏହାର ଗଠନକୁ ଗ୍ରହଣ କରିବାର କ୍ଷମତା ରଖିଛି । ଏହା ୧୮ଟି ଟର୍ପେଡୋ ଏବଂ ଟ୍ୟୁବ୍-ଲଞ୍ଚଡ୍ ଆଣ୍ଟି-ସିପ୍ ମିସାଇଲ୍ ବ୍ୟବହାର କରି ପାଣି ତଳେ କିମ୍ବା ପୃଷ୍ଠରେ ଶତ୍ରୁମାନଙ୍କ ଉପରେ ଏକକାଳୀନ ସଠିକ୍ ଆକ୍ରମଣ କରିବାର କ୍ଷମତା ରଖେ ।

ଏହି ତିନୋଟି ଯୁଦ୍ଧପୋତ ଲଞ୍ଚ ହେବାପରେ ଶତ୍ରୁ ଦେଶ ପାକିସ୍ତାନ ଓ ଚୀନର ମୁଣ୍ଡବିନ୍ଧାର କାରଣ ପାଲଟିବା ସହ ଶତ୍ରୁ ଶିବିରରେ ଛନକା ଭରିଛି ।

 

Leave A Reply

Your email address will not be published.