Latest Odisha News

BREAKING NEWS

ଆସିଲା ଜି-୭ ସମ୍ମିଳନୀ ନିମନ୍ତ୍ରଣ: କାନାଡା ଯିବେ ମୋଦି

ନୂଆଦିଲ୍ଲୀ: ବହୁ କଳ୍ପନାଜଳ୍ପନା ପରେ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସିଛି ଜି-୭ ସମ୍ମତଳନୀ ପାଇଁ ନିମନ୍ତ୍ରଣ । ଚଳିତ ବର୍ଷ କାନାଡାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତକୁ ଏକ ସରକାରୀ ନିମନ୍ତ୍ରଣ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ ଜେ. କାର୍ନିଙ୍କଠାରୁ ଏକ ଫୋନ୍ ଆସିଥିଲା, ଯେଉଁଥିରେ ସେ ଆଗାମୀ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତକୁ ନିମନ୍ତ୍ରଣ କରିଥିଲେ । ଏନେଇ ନିଜ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି ମୋଦି, ଏଥିସହିତ ସୋସିଆଲ ମିଡିଆରେ ପୋଷ୍ଟରେ ଭାରତ ଏବଂ କାନାଡା ମଧ୍ୟରେ ଗଭୀର ସମ୍ପର୍କ ରହିଛି ବୋଲି ମଧ୍ୟ କହିଛନ୍ତି ।

ମୋଦି ଲେଖିଛନ୍ତି, କାନାଡା ପ୍ରଧାନମନ୍ତ୍ରୀ ମାର୍କ ଜେ. କାର୍ନିଙ୍କ ସହ ଫୋନ୍‌ରେ କଥା ହେବା ଏକ ଆନନ୍ଦଦାୟକ କଥା । ସାମ୍ପ୍ରତିକ ନିର୍ବାଚନରେ ​​ତାଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲି ଏବଂ ଜି-୭ ଶିଖର ସମ୍ମିଳନୀରେ ମୋତେ ନିମନ୍ତ୍ରଣ କରିବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲି । ଭାରତ ଏବଂ କାନାଡା ହେଉଛି ପ୍ରାଣବନ୍ତ ଗଣତନ୍ତ୍ର ଏବଂ ଦୁଇ ଦେଶ ମଧ୍ୟରେ ଲୋକଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଆମେ ପାରସ୍ପରିକ ସମ୍ମାନ ଏବଂ ସମାନ ସ୍ୱାର୍ଥ ଆଧାରରେ ନୂତନ ଶକ୍ତି ସହିତ ଏକାଠି କାମ କରିବୁ । ଶିଖରରେ ସାକ୍ଷାତ ପାଇଁ ଅପେକ୍ଷା କରିଛି ବୋଲି କହିଛନ୍ତି ମୋଦି ।

ତେବେ କହିରଖୁଛୁ, ଯେ ଏହି ବର୍ଷ ଜି-୭ ଶିଖର ସମ୍ମିଳନୀ ଜୁନ୍ ୧୫ ରୁ ୧୭ ମଧ୍ୟରେ କାନାଡାର ଆଲବର୍ଟା ପ୍ରଦେଶର କାନାନାସ୍କିସ୍‌ରେ ଅନୁଷ୍ଠିତ ହେଉଛି । ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଭାରତକୁ ନିମନ୍ତ୍ରଣ ମିଳିପାରିବ ନାହିଁ, କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଶ୍ଚିତକରଣ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଭାରତ ଏହି ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଯୋଗ ଦେବ । ଏହି ନିମନ୍ତ୍ରଣକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି । ତେବେ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ କାର୍ଯ୍ୟକାଳରେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଥିଲା ।

ଜି-୭ ହେଉଛି ବିଶ୍ୱର ସାତଟି ବୃହତ ବିକଶିତ ଅର୍ଥନୀତିର ଏକ ଗୋଷ୍ଠୀ । ଯେଉଁଥିରେ ଆମେରିକା, ୟୁକେ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଏବଂ ଜାପାନ ଅନ୍ତର୍ଭୁକ୍ତ । ଭାରତକୁ ନିମନ୍ତ୍ରଣ କରିବା ମଧ୍ୟ ଗୋଷ୍ଠୀ ପାଇଁ ଭାରତର ବଢ଼ୁଥିବା ବିଶ୍ୱ ଭୂମିକାକୁ ପ୍ରତିଫଳିତ କରେ ।

Comments are closed.