Latest Odisha News

BREAKING NEWS

PM Modi on Vaibhav Sooryavanshi: ମୋଦିଙ୍କ ମୁହଁରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ, Gen Zଙ୍କୁ ଏମିତି କହିଦେଲେ…

ନୂଆଦିଲ୍ଲୀ: ବୟସ ମାତ୍ର ୧୫, ହେଲେ ଚର୍ଚ୍ଚା ଦେଶବିଦେଶ ସବୁଠି । କ୍ରିକେଟ ମଇଦାନରେ ବ୍ୟାଟ୍‌ରେ ଝଡ଼ ସୃଷ୍ଟି କରୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଦେଶର ରାଜନୈତିକ ମଞ୍ଚରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। IPL ୨୦୨୬ରେ ନିଜ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ଏହି ଯୁବ କ୍ରିକେଟରଙ୍କ ନାଁ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ଶୁଣିବାକୁ ମିଳିଛି । ବୈଭବଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦିଲ୍ଲୀରେ ଆୟୋଜିତ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୈତିକ ପ୍ରଗତି, ଜାତୀୟ ସୁରକ୍ଷା ଓ ଯୁବପିଢ଼ିର ଭୂମିକା ଉପରେ ମତ ରଖୁଥିଲେ। ଏହି ସମୟରେ ସେ Gen Z ପିଢ଼ିର ବୈଶିଷ୍ଟ୍ୟ ବିଷୟରେ କହିବା ବେଳେ ହଠାତ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଦେଶ ପାଇଁ ଏହା ବୁଝିବା ଜରୁରୀ ଯେ Gen Zର ଚରିତ୍ର କ’ଣ। ଆମ ଯୁବପିଢ଼ି ନିଜକୁ ଚିହ୍ନିବା ଦରକାର। ଯଦି ସେମାନେ ଶୀଘ୍ର ବୁଝିପାରୁନାହାନ୍ତି, ତେବେ ବୈଭବ ସୂର୍ଯ୍ୟବଂଶୀ ଆସିଯାଇଛି ଏବଂ ସେ ବହୁତ ଦ୍ରୁତ ଗତିରେ ସବୁକିଛି ବୁଝାଇ ଦେଉଛି।”

PM ମୋଦିଙ୍କ ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ବୈଭବଙ୍କ ନାଁ ପୁଣିଥରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। କ୍ରିକେଟ ପ୍ରେମୀମାନେ ଏହାକୁ ଜଣେ ଯୁବ ଖେଳାଳି ପାଇଁ ବଡ଼ ସମ୍ମାନ ବୋଲି କହୁଛନ୍ତି।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପ୍ରତୀକାତ୍ମକ ଥିଲା। ସେ ବୈଭବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ଉଦାହରଣ ଭାବେ ନେଇ ଆଜିର ଯୁବପିଢ଼ି କିପରି ଦ୍ରୁତ ନିଷ୍ପତ୍ତି ନେଉଛନ୍ତି ଓ ପରିସ୍ଥିତିକୁ ବୁଝୁଛନ୍ତି, ତାହା ବୁଝାଇବାକୁ ଚେଷ୍ଟା କରିଥିଲେ। କ୍ରିକେଟ୍ ମଇଦାନରେ ବୈଭବ ଯେଭଳି ପ୍ରଥମ ବଲ୍‌ରୁ ବୋଲରଙ୍କ ଉପରେ ଚାପ ସୃଷ୍ଟି କରନ୍ତି, PM ମୋଦି ସେହି ଶୈଳୀକୁ Gen Zର ଆତ୍ମବିଶ୍ୱାସ ଓ ଦ୍ରୁତ ଚିନ୍ତାଧାରା ସହ ଯୋଡ଼ିଥିଲେ। ଏଥିସହିତ ଆଜିର ଯୁବପିଢି କ’ଣ କରିବାକୁ ସକ୍ଷମ, ତାହା ବୁଝିବା ଉଚିତ୍ ବୋଲି, ଜୋର ଦେଇ କହିଥିଲେ ।

ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ। ବିହାରର ମୁଜଫ୍ଫରପୁରରୁ ଆସିଥିବା ଏହି ଯୁବ ବ୍ୟାଟର ଦୁଇ ବର୍ଷ ପୂର୍ବରୁ ଜାତୀୟ ସ୍ତରରେ ସେତେଟା ପରିଚିତ ନଥିଲେ। କିନ୍ତୁ ନିଜ ପ୍ରତିଭା, ନିର୍ଭୀକ ବ୍ୟାଟିଂ ଓ ଲଗାତାର ରେକର୍ଡ ଭାଙ୍ଗୁଥିବା ଇନିଂସ୍ ଯୋଗୁଁ ସେ ଖୁବ କମ୍ ସମୟରେ କ୍ରିକେଟ ଦୁନିଆର ସେନ୍ସେସନ୍ ପାଲଟିଯାଇଛନ୍ତି। IPL 2026ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ଅନେକ ବଡ଼ ରେକର୍ଡ ନିଜ ନାଁରେ କରିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ କେବଳ ଦର୍ଶକଙ୍କୁ ନୁହେଁ, କ୍ରିକେଟ ବିଶେଷଜ୍ଞଙ୍କୁ ମଧ୍ୟ ଆକର୍ଷିତ କରିଥିଲା। ଏବେ ସେ ଖୁବଶୀଘ୍ର ଭାରତୀୟ ଟିମ୍ ପାଇଁ ଖେଳିବାକୁ ଯାଉଛନ୍ତି । ସେ ଆୟରଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ୨୬ ଜୁନରୁ ଆରମ୍ଭ ହେବାକୁ ଥିବା T20 ସିରିଜରେ ତାଙ୍କର ଆନ୍ତର୍ଜାତିକ ଡେବ୍ୟୁ ହେବାକୁ ଯାଉଛି । ଆଜି ବୈଭବ କେବଳ ଜଣେ କ୍ରିକେଟର ନୁହେନ୍ତି, ବରଂ ଦେଶର ନୂଆ ପିଢ଼ିର ଆତ୍ମବିଶ୍ୱାସ, ସାହସ ଓ ବଡ଼ ସ୍ୱପ୍ନ ଦେଖିବାର ପ୍ରତୀକ ପାଲଟିଛନ୍ତି। ଯାହାର ଉଦାହରଣ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ବଖାଣିଛନ୍ତି ।

Leave A Reply

Your email address will not be published.