ନୂଆଦିଲ୍ଲୀ: ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଇଜେରିଆରେ ପହଞ୍ଚିଛନ୍ତି । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଥିବା ବେଳେ ଏବେ ନାଇଜେରିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ନାଇଜର’ (ଜିକନ୍) ସମ୍ମାନ ପାଇବେ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ ନାଇଜେରିଆ ସରକାର । ତେବେ ରାଣୀ ଏଲିଜାବେଥ୍ ଏକମାତ୍ର ବିଦେଶୀ ଭାବେ ୧୯୬୯ରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ ନାଇଜେରିଆ ସରକାର । କୌଣସି ବିଦେଶୀ ରାଷ୍ଟ୍ର ପକ୍ଷରୁ ମୋଦିଙ୍କୁ ଏହା ସପ୍ତଦଶ ସମ୍ମାନ ହେବ ।
ଦୀର୍ଘ ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେିଆ ଗସ୍ତ । ମୋଦିଙ୍କ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ଦେଶ ଗସ୍ତ କରିଥିଲେ । ନାଇଜେରିଆ ଗସ୍ତ ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲ ଓ ପରେ ଗୁୟାନା ଗସ୍ତ କରିବେ । ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଗସ୍ତରେ ଶେଷ ପର୍ୟ୍ୟାୟରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁୟାନା ଯିବେ । ୫୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପ୍ରଥମ ଗସ୍ତ ହେବ ।