Latest Odisha News

BREAKING NEWS

ପ୍ରତୀକ୍ଷାର ଅନ୍ତ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ । ବିଶ୍ୱରେ ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ । ଦେଶବ୍ୟାପୀ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆରେ ଦେଶର ୩ହଜାରରୁ ଅଧିକ କେନ୍ଦ୍ରରେ ଟିକାକରଣପ ସେ ଶୁଭାରମ୍ଭ କରିଛନ୍ତି । ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ଦେଶରେ ୩କୋଟି ଲୋକଙ୍କୁ ଦିଆଯିବ କୋଭିଡ୍ ଟିକା । ପ୍ରଥମ ପର୍ୟ୍ୟାୟରେ ସମସ୍ତେ ମାଗଣା ଟିକା ନେବେ । ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀଙ୍କୁ ଅଗ୍ରାଧିକାର ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସରେ ଏଭଳି ବିରାଟ ଟିକାକରଣ ଅଭିଯାନ କେବେ ହୋଇ ନଥିଲା ।

ଦ୍ୱିତୀୟ ପର୍ୟ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପର୍ୟ୍ୟାୟରେ ବୟସ୍କ, ଅନ୍ୟାନ୍ୟ ରୋଗରେ ପୀଡ଼ିତଙ୍କୁ ଦିଆଯିବ କୋଭିଡ୍ ଟିକା । ଭାରତରେ ଟିକା ବିକଶିତ କରିଥିବା ବୈଜ୍ଞାନିକ, ମେଡିକାଲ ସିଷ୍ଟମକୁ ନେଇ ସାରା ବିଶ୍ୱରେ ଭାରତର ବିଶ୍ୱସନୀୟତା ରହିଛି । ନିଜ ଟ୍ରାକ ରେକର୍ଡ ଅନୁସାରେ ଭାରତ ଏହାକୁ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କରୋନା ବିରୋଧରେ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାକୁ ନେଇ ଲଢ଼ିଛି ଭାରତ । ପ୍ରତିଟି ଭାରତୀୟଙ୍କ ପାଖରେ ଏହା ଭରି ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସେ କହିଛନ୍ତି, ବିଦେଶୀ ଭ୍ୟାକସିନ୍ ତୁଳନାରେ ଭାରତରେ ବିକଶିତ ଟିକା ଶସ୍ତା ଓ ଉପଯୋଗ ବି ସହଜ । ବିଦେଶ କିଛି ଟିକାର ଗୋଟିଏ ଗୋଟିଏ ଡୋଜ୍ ଦାମ ୫ହଜାରରୁ ଅଧିକ ଟଙ୍କା ଓ ଏହାକୁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବାକୁ ପଡୁଛି । ସ୍ୱଦେଶୀ ଟିକା କରୋନା ବିରୋଧୀ ଲଢ଼େଇରେ ନିର୍ଣ୍ଣାୟକ ବିଜୟ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.