Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କଲେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦକ୍ଷିଣ କୋରିଆରେ ଶୁକ୍ରବାର ଦିନ ପ୍ରତିଷ୍ଠିତ ଆନ୍ତର୍ଜାତିକ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ମାନବୀୟ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୁର୍ନୀତି ନିରୋଧୀ ତଥା ସାମାଜିକ ସଂହତି ପ୍ରୟାସ ଜରିଆରେ ଗଣତନ୍ତ୍ରର ବିକାଶକୁ ଆଗେଇ ନେବା ଦିଗରେ ସମର୍ପିତ ପ୍ରୟାସ ଲାଗି ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏହି ପୁରସ୍କାର କେବଳ ମୋର ସମ୍ମାନ ନୁହେଁ, ବରଂ ଏହା ସାରା ଭାରତର ସମ୍ମାନ। ଏହି ପୁରସ୍କାରରୁ ମିଳିବାକୁ ଥିବା ଅର୍ଥରାଶିକୁ ମୁଁ ଗଙ୍ଗା ନଦୀ ସଫେଇ ଲାଗି କରାଯାଇଥିବା ‘ନମାମି ଗଙ୍ଗେ’ ପ୍ରକଳ୍ପ ପାଇଁ ଉତ୍ସର୍ଗ କରୁଛି”।

ଆହୁରି ମଧ୍ୟ “ମହାତ୍ମାଗନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବା ବର୍ଷରେ ଏହି ପୁରସ୍କାର ପାଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି” ବୋଲି ସେ କହିଛନ୍ତି ।

୨୦୧୮ ମସିହା ଅକ୍ଟୋବର ମାସ ୨୪ ତାରିଖରେ ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ‘ସିଓଲ ଶାନ୍ତି ପୁରସ୍କାର’ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା। ସେସମୟରେ ଦୁର୍ନୀତି ନିରୋଧୀ ପଦକ୍ଷେପ ଏବଂ ବିମୁଦ୍ରୀକରଣ ଜରିଆରେ ସରକାରକୁ ସ୍ୱଚ୍ଛ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମିତି ଉଚ୍ଚପ୍ରଶଂସା କରିଥିଲା । ଏହି ପୁରସ୍କାରରେ ସମ୍ମାନିତ ହେବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଚତୁର୍ଦ୍ଦଶ ବିଶିଷ୍ଟ ବ୍ୟକ୍ତି ।

ଉଲ୍ଲେଖଯୋଗ୍ୟ ୧୯୯୦ ମସିହାରେ କୋରିଆର ସିଓଲରେ ଅନୁଷ୍ଠିତ ଚତୁର୍ବିଂଶ ଅଲିମ୍ପିକ କ୍ରୀଡ଼ାର ସଫଳତା ସ୍ମୃତିରେ ସିଓଲ ଶାନ୍ତି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ପ୍ରତି ଦୁଇ ବର୍ଷରେ ଥରେ ସିଓଲ ଶାନ୍ତି ପୁରସ୍କାର ସେହି ବ୍ୟକ୍ତିବିଶେଷ ମାନଙ୍କୁ ଦିଆଯାଇ ଆସୁଛି ଯେଉଁମାନେ ମାନବୀୟ ସଦଭାବନା, ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବନ୍ଧୁତା ଏବଂ ବିଶ୍ୱଶାନ୍ତି ଦିଗରେ ଯୋଗଦାନ କରିଆସୁଛନ୍ତି । ପୂର୍ବରୁ ବିଶ୍ୱସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ମଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ, ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଏବଂ ଡକ୍ଟର୍ସ ୱିଦଆଉଟ ବର୍ଡର୍ସ ଓ ଅକ୍ସଫାମ ଭଳି ବିଶିଷ୍ଟ ଅନ୍ତର୍ଜାତୀୟ ରିଲିଫ ସଂସ୍ଥାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.