Latest Odisha News

BREAKING NEWS

ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ବିବୃତି ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ମୋଦି ସରକାର ବିରୋଧରେ ଗତ ୯ ବର୍ଷରେ ଏହା ହେଉଛି ଦ୍ଵିତୀୟ ଅନାସ୍ଥା ପ୍ରସ୍ତାବ । ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି । ଚର୍ଚ୍ଚା ପାଇଁ ବିଜେପିକୁ ୬ଘଣ୍ଟା ୪୧ମିନିଟ୍ ମିଳିବ ଏବଂ କଂଗ୍ରେସକୁ ୧ଘଣ୍ଟା ୧୫ମିନିଟ୍ ମିଳିବ । ସମୁଦାୟ ଚର୍ଚ୍ଚା ପ୍ରାୟ ୧୨ ଘଣ୍ଟା ଚାଲିବ । ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚାକୁ ଆରମ୍ଭ କରିପାରନ୍ତି । ଆଜି ଓ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ । ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ ।

ସୂଚନା ଅନୁସାରେ, ଜୁଲାଇ ୨୬ ତାରିଖରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଥିଲେ । ବିରୋଧୀଙ୍କ ତୁହାକୁ ତୁହା ଦାବି ପରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ନରଖିବାରୁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।୨୦୧୮ରେ ପ୍ରଥମ ଥର ଅନାସ୍ଥା ପ୍ରସ୍ତାବର ସାମ୍ନା କରିଥିଲେ ମୋଦି ସରକାର । ଟିଡିପି ଆଣିଥିଲା ଅନାସ୍ଥା ପ୍ରସ୍ତାବ । ୧୨ ଘଣ୍ଟାର ବିତର୍କ ପରେ ୧୯୯ ଭୋଟ ବ୍ୟବଧାନରେ କାଟ ଖାଇଥିଲା । ଏନଡିଏ ମେଣ୍ଟକୁ ୩୨୫ ଭୋଟ ମିଳିଥିଲା। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମାତ୍ର ୧୨୬ ଭୋଟ ପଡ଼ିଥିଲା। ତେବେ ଅନାସ୍ଥା ଜିତିବା ପାଇଁ ୨୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଲୋକସଭାରେ କେବଳ ବିଜେପିର ସଦସ୍ୟ ସଂଖ୍ୟା ରହିଛି ୩୦୧।

ସେପଟେ ୪ ମାସର ବ୍ୟବଧାନ ପରେ ପୁଣି ଲୋକସଭାକୁ ଫେରିଛନ୍ତି ରାହୁଲ ଗାନ୍ଧୀ । ହିଂସାକାଣ୍ଡ ପରେ ଜୁନରେ ସେ ମଣିପୁର ଯାଇଥିଲେ । ତେବେ ମଣିପୁର ହିଂସାକୁ ନେଇ ରାହୁଲ କଣ କହିବେ ତାଉପରେ ନଜର ରହିଛି ।

 

 

 

Leave A Reply

Your email address will not be published.