Latest Odisha News

BREAKING NEWS

ଦ୍ୱିତୀୟ ବିଶ୍ୱ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦ୍ୱିତୀୟ ବିଶ୍ୱ କୋଭିଡ୍‌ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ‘ମହାମାରୀ କ୍ଲାନ୍ତି ନିରାକରଣ ଏବଂ ପ୍ରସ୍ତୁତିକୁ ପ୍ରାଥମିକତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଥିଲେ ।

ମହାମାରୀ ମୁକାବିଲା ପାଇଁ ଭାରତ ଏକ ଜନକୈନ୍ଦ୍ରିକ ରଣନୀତି ଆପଣାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଭାରତ ଚଳିତ ବର୍ଷ ସ୍ବାସ୍ଥ୍ୟ ପାଇଁ ସର୍ବାଧିକ ବଜେଟ୍‌ ଆବଣ୍ଟନ କରିଛି । ଭାରତ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରୁଛି ଏବଂ ପ୍ରାୟ ୯୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଓ ୫ କୋଟିରୁ ଅଧିକ ପିଲାଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିସାରିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବିଶ୍ବ ସମୁଦାୟର ଏକ ଉତ୍ତରଦାୟୀ ସଦସ୍ୟ ଭାବେ ଭାରତ ଏହାର ମିତବ୍ୟୟୀ ସ୍ବଦେଶୀ କୋଭିଡ ମୁକାବିଲା ପ୍ରଯୁକ୍ତି, ଟିକା ଏବଂ ଚିକିତ୍ସା ପଦ୍ଧତିକୁ ଅନ୍ୟ ଦେଶମାନଙ୍କୁ ବିତରଣ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିବ । ଭାରତ ନିଜର ଜିନ୍‌ ଅନୁଶୀଳନ ବ୍ୟବସ୍ଥା (ଜେନୋମିକ ସର୍ଭିଲେନ୍ସ କନସୋର୍ଟିଅମ)କୁ ଅନ୍ୟମାନଙ୍କୁ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି । ଭାରତ ବ୍ୟାପକ ଭାବେ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆପଣାଇଛି ଏବଂ ଏହି ଜ୍ଞାନକୁ ସାରା ବିଶ୍ବରେ ପ୍ରସାରିତ କରିବା ଲାଗି ଡବ୍ଲୁଏଚଓ ପାରମ୍ପରିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର ପାଇଁ ଶିଳାନ୍ୟାସ କରିଛି ।

ଏକ ଦୃଢ଼ ଏବଂ ଆହୁରି ସହନଶୀଳ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ଢାଞ୍ଚା ସୃଷ୍ଟି କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୁଦୃଢ଼ କରିବା ଏବଂ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । କ୍ୟାରିକମ୍‌ର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରୁଥିବା ରାଷ୍ଟ୍ର ଭାବେ ବେଲିଜେ ରାଷ୍ଟ୍ର/ସରକାରୀ ମୁଖ୍ୟ, ଆଫ୍ରିକୀୟ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ସେନେଗାଲ, ଜି20ର ଅଧ୍ୟକ୍ଷ ଇଣ୍ଡୋନେସିଆ ଏବଂ ଜି7 ରାଷ୍ଟ୍ର ସମୂହର ଅଧ୍ୟକ୍ଷ ଭାବେ ଜର୍ମାନୀ ସହଆୟୋଜକ ଭାବେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ମିଳିତ ଜାତିସଂଘର ମହାସଚିବ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଏହାପୂର୍ବରୁ ୨୨ ସେପ୍ଟେମ୍ବର ୨୦୨୧ରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ପ୍ରଥମ ବିଶ୍ବ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.