Latest Odisha News

କିଭରୁ ଭାବୁକ ମୋଦିଙ୍କ କୂଟନୈତିକ ସନ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ୟୁକ୍ରେନ ଗସ୍ତ । ୧୯୯୧ରେ ତତ୍କାଳୀନ ସୋଭିଏତ ସଂଘଠାରୁ ଅଲଗା ହୋଇ ସ୍ୱାଧୀନ ଦେଶ ଭାବେ ଗଠନ ହେବା ପରେ ୟୁକ୍ରେନକୁ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ ସାକ୍ଷାତ ହୋଇଛି । କିନ୍ତୁ ପ୍ରଧାନମନ୍ତ୍ରୀ କେବେ ୟୁକ୍ରେନ ଗସ୍ତ କରିନଥିଲେ ।

ଜେଲେନସ୍କିଙ୍କୁ ସାହସ ଓ ସାନ୍ତ୍ୱନା ଦେଲେ ଭାବୁକ ମୋଦି

କିଏଭରେ ମାର୍ଟିୟାରଲୋଜିଷ୍ଟ ଏକ୍ସପୋଜିସନରେ ପ୍ରଥମେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ । ଗୁରୁଗମ୍ଭୀର ପରିବେଶରେ ହାତ ମିଶାଇଥିଲେ ଦୁଇ ନେତା । ଜେଲେନସ୍କିଙ୍କୁ ଆଲିଙ୍ଗନ କରିଥିଲେ ମୋଦି । ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ନିର୍ମିତ ସ୍ମାରକୀ ପରିଦର୍ଶନ ବେଳେ ଜେଲେନସ୍କିଙ୍କ କାନ୍ଧରେ ଥିଲା ମୋଦିଙ୍କ ହାତ । ବେଶ୍ ଭାବୁକ ହୋଇଥିଲେ ମୋଦି । ଜେଲେନସ୍କିଙ୍କୁ କାନ୍ଧରେ ହାତ ରଖି ତାଙ୍କୁ ସାହସ ଓ ସାନ୍ତ୍ୱନା ଦେବା ପାଇଁ ପ୍ରୟାସ କରିଥିଲେ ମୋଦି ।

ଆନ୍ତର୍ଜାତିକ କୂଟନୀତିରେ ରାଜନେତା ଓ କୂଟନୀତିଜ୍ଞଙ୍କ ହାବଭାବ, ଟିପ୍ପଣୀ, ମନ୍ତବ୍ୟ ବେଶ୍ ଗୁରୁତ୍ୱ ବହନ କରେ । ଏସବୁ ପଛରେ ଲୁଚି ରହିଥାଏ କୂଟନୈତିକ ସନ୍ଦେଶ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶର ଜଣେ ୭୩ ବର୍ଷିୟ ପ୍ରଧାନମନ୍ତ୍ରୀ ୪୬ ବର୍ଷିୟ ୟୁକ୍ରେନ ରାଷ୍ଟ୍ରପତିଙ୍କ କାନ୍ଧରେ ହାତ ରଖି ଆଶ୍ୱାସନା ଓ ସାହସ ଦେବାର ଦୃଶ୍ୟ ଦୁନିଆକୁ ଏକ ସନ୍ଦେଶ ଦେଇଛି । କିଏଭରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲା ପରେ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଛନ୍ତି ମୋଦି । ରାଷ୍ଟ୍ରପତିଙ୍କ ସରକାରୀ ବାସଭବନର ହୋଇଥିଲା ଜେଲେନସ୍କି –ମୋଦି ଦ୍ୱିପାକ୍ଷିକ ଆଲୋଚନା ।

ମୋଦିଙ୍କ ୟୁକ୍ରେନ ଗସ୍ତକୁ ପ୍ରଶ୍ନ

ଜୁଲାଇରେ ଋଷିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଋଷିଆ ଗସ୍ତକୁ ସହଜରେ ଗ୍ରହଣ କରିପାରିନଥିଲା ୟୁକ୍ରେନ । ଯୁଦ୍ଧଖୋର ଋଷିଆକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ନିରାଶ ହୋଇଥିଲେ ଜେଲେନସ୍କି । ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଆମେରିକା ଓ ଏହାର ସହଯୋଗୀମାନେ ବି ମୋଦିଙ୍କ ଋଷିଆ ଗସ୍ତ ଓ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ନେଇ କଡା ଆପତ୍ତି ପ୍ରକାଶ କରିଥିଲେ । ସମାଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଯାଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ତେବେ, ମୋଦି ଆମେରିକା ଓ ସହଯୋଗୀଙ୍କ ଚାପରେ ୟୁକ୍ରେନ ଯାଇଥିବା ନେଇ କିଛି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି । ମୋଦିଙ୍କ ଗସ୍ତ ଏକ ପ୍ରକାର ଡାମେଜ୍ କଂଟ୍ରୋଲ ବୋଲି କହିଛନ୍ତି ଆଉ କିଛି ବିଶେଷଜ୍ଞ । ଏଥିସହ ୟୁକ୍ରେନ ଗସ୍ତ ଦ୍ୱାରା ଋଷିଆ ଆପତ୍ତି ପ୍ରକାଶ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ପ୍ରଶ୍ନ ମଧ୍ୟରେ ଉଭୟ ଋଷିଆ ଓ ୟୁକ୍ରେନ ସହ ଭାରତର ସମ୍ପର୍କ ମଜବୁତ୍ ବୋଲି କହିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

ଋଷିଆକୁ ନିନ୍ଦା ନାହିଁ, ୟୁକ୍ରେନକୁ ସହାୟତା

୨୦୨୨ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା । ଭାରତ କିନ୍ତୁ ଖୋଲାଖୋଲି କାହାକୁ ସମର୍ଥନ କରିନାହିଁ କି କାହାକୁ ବିରୋଧ କରିନାହିଁ । ଜାତିସଂଘରେ ଭାରତ ଋଷିଆ ବିରୋଧୀ ପ୍ରସ୍ତାବକୁ ସମର୍ଥନ କରିନାହିଁ । ଭାରତର ଆଭିମୁଖ୍ୟରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ନିରାଶ । ଏଣେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସୁଛି ।

Comments are closed.