ନୂଆଦିଲ୍ଲୀ: ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍ ସଂଯୋଗ ପାଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଗାଇଡଲାଇନ୍। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ଯଦି ଆପଣ ଆପଣଙ୍କର ଗ୍ୟାସ୍ କନେକ୍ସନର e-KYC ବା ଆଧାର ଅପଡେଟ୍ କରୁନାହାନ୍ତି, ତେବେ ଜୁଲାଇ ୧ ତାରିଖରୁ ଆପଣଙ୍କ ଆକାଉଣ୍ଟକୁ ଆଉ ଆସିବନି ୩୦୦ ଟଙ୍କାର ସବସିଡି।
ଉଜ୍ଜ୍ୱଳା ଯୋଜନାର କୋଟି କୋଟି ଗ୍ରାହକଙ୍କ ପାଇଁ ସରକାର e-KYC ବାଧ୍ୟତାମୂଳକ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାଲ୍ କିମ୍ବା ନିଷ୍କ୍ରିୟ ଗ୍ୟାସ୍ କନେକ୍ସନ୍କୁ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା। ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ଅର୍ଥାତ୍ ଜୁନ୍ ୩୦ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ନକରୁଛନ୍ତି, ତେବେ ଆପଣଙ୍କୁ ବଜାର ଦରରେ ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ ଏବଂ ମିଳୁଥିବା ୩୦୦ ଟଙ୍କାର ଆର୍ଥିକ ରିହାତି ବନ୍ଦ ହୋଇଯିବ।
କେବଳ ସେତିକି ନୁହେଁ, ଯଦି ଆପଣ ଜୁନ୍ ୩୦ ପରେ e-KYC କରୁଛନ୍ତି, ତେବେ କେବଳ ଭବିଷ୍ୟତର ସିଲିଣ୍ଡର ଉପରେ ହିଁ ସବସିଡି ମିଳିବ। ଶେଷ ତାରିଖ ଏବଂ e-KYC କରିବା ମଧ୍ୟରେ ଆପଣ ଯେଉଁ ସିଲିଣ୍ଡର କିଣିଥିବେ, ସେଥିପାଇଁ କୌଣସି ସବସିଡି ଫେରସ୍ତ ମିଳିବ ନାହିଁ।
ଯେଉଁମାନଙ୍କର ଆଧାର ଏପର୍ଯ୍ୟନ୍ତ ଗ୍ୟାସ୍ କନେକ୍ସନ୍ ସହ ଲିଙ୍କ୍ ହୋଇନାହିଁ, କିମ୍ବା ଗତ କିଛି ମାସ ହେବ ଆକାଉଣ୍ଟକୁ ସବସିଡି ଆସୁନାହିଁ, ସେମାନେ ଆଦୌ ବିଳମ୍ବ ନକରି ତୁରନ୍ତ ନିଜର e-KYC ସ୍ଥିତି ଯାଞ୍ଚ କରନ୍ତୁ। ଶେଷ ମୁହୂର୍ତ୍ତର ଭିଡ଼ରୁ ବଞ୍ଚିବା ପାଇଁ ଆସନ୍ତା ଜୁନ୍ ୩୦ ପୂର୍ବରୁ ନିଜର e-KYC ପ୍ରକ୍ରିୟା ସାରିଦିଅନ୍ତୁ ଏବଂ କୌଣସି ବାଧାବିଘ୍ନ ନଥାଇ ୩୦୦ ଟଙ୍କାର ଗ୍ୟାସ୍ ସବସିଡିର ଲାଭ ଉଠାନ୍ତୁ।
