ଭୁବନେଶ୍ୱର: ବିଶ୍ୱସ୍ତରୀୟ ଗ୍ୟାସ ସଙ୍କଟ ସମୟରେ ବିକଳ୍ପ ଭାବେ ପାଇପଲାଇନ୍ ଯୋଗେ ରନ୍ଧନ ଗ୍ୟାସ୍ ଯୋଗାଇଦେବାକୁ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା, ତାହା ଏବେ ରାଜଧାନୀ ଭୁବନେଶ୍ୱରରେ ଧିମେଇ ଯାଇଥିବା ଦେଖିବାକୁ ମିଳିଛି । ଘରେ ଘରେ ସୁଲଭ ଏବଂ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ପିଏନଜି (PNG) ପ୍ରକଳ୍ପର କାର୍ଯ୍ୟ ଏବେ ମନ୍ଥର ଗତିରେ ଚାଲିଛି। ଫଳରେ ଯେଉଁ ଗ୍ରାହକମାନେ ଉତ୍ସାହର ସହ ପିଏନଜି ସଂଯୋଗ ପାଇଁ ଆବେଦନ କରିଥିଲେ କିମ୍ବା ଅପେକ୍ଷା କରିଥିଲେ, ସେମାନଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ।
ପୂର୍ବରୁ ଯେତେବେଳେ ବିଶ୍ୱ ବଜାରରେ ଏଲପିଜି ସିଲିଣ୍ଡରର ଅଭାବ ଓ ଦରବୃଦ୍ଧି ନେଇ ଆଶଙ୍କା ଦେଖାଦେଇଥିଲା, ସେତେବେଳେ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀମାନେ ପିଏନଜିକୁ ଆପଣାଇବା ପାଇଁ ଲୋକଙ୍କୁ ବ୍ୟାପକ ସଚେତନ କରିଥିଲେ। ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱର୍କ ଜରିଆରେ ରାଜଧାନୀର ୧ ଲକ୍ଷ ୨୫ ହଜାର ପରିବାରକୁ ପିଏନଜି ସଂଯୋଗ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ସଂଯୋଗ ଉପରେ ରିହାତିର ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପାଇପଲାଇନ୍ ବିଛାଇବା ଏବଂ ଗ୍ରାହକଙ୍କ ଘରକୁ ସିଧାସଳଖ ଗ୍ୟାସ ସଂଯୋଗ ଦେବା ପ୍ରକ୍ରିୟା
ଆଶାନୁରୂପ ଭାବେ ଆଗେଇ ପାରୁନାହିଁ ।
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ ଓ ୟୁନିଟ୍-୮ ଭଳି ଅନେକ ପ୍ରମୁଖ ଅଞ୍ଚଳରେ ପାଇପ୍ ବିଛା ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗ୍ୟାସ୍ ଯୋଗାଣ ଆରମ୍ଭ ହୋଇପାରିନାହିଁ କିମ୍ବା ଅନେକ ସ୍ଥାନରେ କାମ ଅଧାଖଣ୍ଡିଆ ହୋଇ ପଡ଼ିରହିଛି।
ଗୋଟିଏ ପଟେ କେନ୍ଦ୍ର ସରକାର ପରିବେଶ ଅନୁକୂଳ ପିଏନଜି ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଯେଉଁଠି ପିଏନଜି ଉପଲବ୍ଧ ଅଛି ସେଠାରେ ଉପଭୋକ୍ତାମାନେ ଏଲପିଜି ବଦଳରେ ପିଏନଜି ନେବାକୁ ପରାମର୍ଶ ଦିଆଯାଇଥିଲା। ତେବେ ତୃଣମୂଳ ସ୍ତରରେ ସମନ୍ୱୟର ଅଭାବ ଏବଂ ଭିତ୍ତିଭୂମି ବିକାଶରେ ବିଳମ୍ବ ଯୋଗୁଁ ରାଜଧାନୀରେ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ ଏବେ ବାଟବଣା ହେବା ଭଳି ସ୍ଥିତି ଉପୁଜିଛି।
ସାଧାରଣ ଲୋକେ ଏବେ ପ୍ରଶ୍ନ କରୁଛନ୍ତି ଯେ, କେବଳ ସଙ୍କଟ ସମୟରେ ତତ୍ପରତା ଦେଖାଇବା ପରେ ଏବେ ପ୍ରକଳ୍ପକୁ କାହିଁକି ଅଣଦେଖା କରାଯାଉଛି? ଗେଲ୍ ଏବଂ ସ୍ଥାନୀୟ ପ୍ରଶାସନିକ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ନଦେଲେ ଯୋଜନାର ସଫଳତା ନେଇ ଆଶଙ୍କା ସୃଷ୍ଟି ହୋଇଛି।
