ଭୁବନେଶ୍ୱର: କବି ପ୍ରସନ୍ନ ମିଶ୍ରଙ୍କ ୮୫ତମ ଜୟନ୍ତୀ ଉପଲକ୍ଷେ ‘ଫାଲଗୁନ ଆସର’ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ରମେଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ବିଶିଷ୍ଟ ଅଧ୍ୟାପିକା ତଥା ସମାଲୋଚିକା ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା, ବିଶିଷ୍ଟ ଭାଷାବିତ ବସନ୍ତ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଆଶୁତୋଷ ପରିଡା ସଭାପତିତ୍ୱ କରିଥିଲେ ତଥା ବିଶିଷ୍ଟ ସ୍ଥମ୍ଭକାର କେଦାର ମିଶ୍ର ସଂଯୋଜନା କରିଥିଲେ।
ପ୍ରସନ୍ନ ମିଶ୍ରଙ୍କ ନାଟକ ଉପରେ ଆଲୋକପାତ କରି ସଂଘମିତ୍ରା ମିଶ୍ର କହିଥିଲେ “୭୦ ଦଶକରେ ଓଡ଼ିଆ ନାଟକରେ ଯାହାକିଛି ପରୀକ୍ଷା ନିରୀକ୍ଷା ହେଇଚି ସବୁରେ ପ୍ରସନ୍ନ ମିଶ୍ର ହାତ ମାରି ସଫଳ ହେଇଛନ୍ତି। ରେଡ଼ିଓ ନାଟକରେ ତାଙ୍କର କୃତିତ୍ୱ ସର୍ବାଧିକ , ‘ସୁବର୍ଣ୍ଣ ବସୁଧା’ ତାଙ୍କର ଚମତ୍କାର ନାଟକ । ମତେ ସେହି ନାଟକ ଏତେ ଭଲ ଲାଗିଥିଲା ଯେ ମୁ ଠିଆ ହେଇକି ରେଡ଼ିଓ ରେ ତାଙ୍କ ନାଟକ ଶୁଣିଛି ।”
ମୁଖ୍ୟ ଅତିଥି ରମେଶ ପାଣିଗ୍ରାହୀ କହିଲେ “ପ୍ରସନ୍ନ ମିଶ୍ର ଓଡ଼ିଆ ସାହିତ୍ୟର ଏକ କିମ୍ବଦନ୍ତୀ ପୁରୁଷ। ଏକାଧାରରେ କବି, ଔପନ୍ୟାସିକ, ଲୋକତତ୍ତ୍ୱବିତ, ଶିଶୁ ସାହିତ୍ୟିକ ଓ ଗାଳ୍ପିକ। ସାହିତ୍ୟର ଯେଉଁ ବିଭାଗରେ ହାତ ଦେଇଛନ୍ତି ତାହା ରୂପାନ୍ତରିତ ହେଇଛି ଏକ ଅନନ୍ୟ ପରୀକ୍ଷାରେ। ଯେଉଁମାନେ ତାଙ୍କ ‘ବଢି ପାଣିର ଦାନ୍ତ’ ଉପନ୍ୟାସକୁ ପଢ଼ିଛନ୍ତି, ସେମାନେ ତାଙ୍କର ବ୍ୟାଖାନ ଶୈଳୀକୁ ଓଡ଼ିଆ କଥା କଳ୍ପର ଏକ ବିଚିତ୍ର ବିନ୍ୟାସ ବୋଲି ଚିହ୍ନିଥିବେ। ଯଦି ପଢିନାହାନ୍ତି ତେବେ ପଢନ୍ତୁ ତାଙ୍କର ତିନିଟି ଅନବଦ୍ୟ ନାଟକ – ‘ସୁବର୍ଣ୍ଣ ବସୁଧା ‘ , ‘ପ୍ରେମଖେଳ ‘, ‘ଜୀବନ ନାମକ ଗଛରେ ଦୁଃଖ ନାମକ ଫୁଲ’। କେତେବେଳେ ତାହା ଅତିକଳ୍ପନାର ସୀମାହୀନ ସମ୍ଭାବନାକୁ ଆବିଷ୍କାର କରେ ତ, କେତେବେଳେ ତାହା ବିଜ୍ଞାନ ସାହିତ୍ୟର ସୁବିନ୍ୟାସ କଳ୍ପନାକୁ। ପୁଣି କେତେବେଳେ ତାଙ୍କ ନାଟକରେ ଆତ୍ମସଚେତନତା ପରିପୂର୍ଣ ହୋଇ ରହିଥାଏ।”

ସଭାପତି ଆଶୁତୋଷ ପରିଡା କହିଲେ ” କେବଳ କବିତାରେ ଯେ ସେ ଶିଖର ସ୍ପର୍ଶ କରିଥିଲେ ତା ନୁହେଁ। ଗଳ୍ପ ଉପନ୍ୟାସ ଶିଶୁସାହିତ୍ୟରେ ତାଙ୍କ ରଚନା ଅନନ୍ୟ। ସେ ଅନେକ ନାଟକ ଲେଖିଛନ୍ତି। ତାଙ୍କ ନାଟକ ‘ଜନସେବକ’ ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଓଡ଼ିଶାର କିମ୍ବଦନ୍ତୀ ଓ ଲୋକକଥା ଉପରେ ମଧ୍ୟ ତାଙ୍କର ପର୍ୟାପ୍ତ ଗବେଷଣା ରହିଛି। ତାଙ୍କ କବିତା ସଂକଳନ ‘ଟ୍ରକ ଡ଼ାଲାରେ ସନାତନ’, ‘ମନିକାର ପ୍ରିୟ’ କବିତା ସଂକଳନ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିଛି। ଶିଶୁ ସାହିତ୍ୟରେ ମଧ୍ୟ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ”
ବିଶିଷ୍ଟ ଭାଷାବିତ୍ତ ବସନ୍ତ ପଣ୍ଡା କହିଥିଲେ “ପ୍ରସନ୍ନ ମିଶ୍ର ଜଣେ ବିଶିଷ୍ଟ କବି ଥିଲେ। ସେ ଅନେକଗୁଡ଼ିଏ ପ୍ରତୀକଧର୍ମୀ ଓ ପରୀକ୍ଷାମୂଳକ ନାଟକ ମଧ୍ୟ ରଚନା କରିଛନ୍ତି । ଓଡ଼ିଆ ନବନାଟ୍ୟ ଆନ୍ଦୋଳନ ଯେତେବେଳେ ଚାଲିଥିଲା ତାକୁ ଅଧିକ ସଫଳ ଆବେଗମୟ କରିବା ପାଇଁ ସେ ଏହି ନାଟକ ଗୁଡିକ ରଚନା କରିଛନ୍ତି । ବିଶିଷ୍ଟ କବି ଭାବରେ ଆମେ ତାଙ୍କୁ ଜାଣୁ, ତାଙ୍କର ଅନେକ କାବ୍ୟଗ୍ରନ୍ଥ ଅଛି, ହେଲେ ନାଟକରେ ମଧ୍ୟ ତାଙ୍କ ପ୍ରତିଭା ବୈଶିଷ୍ଟ୍ୟପୁର୍ଣ ପରିଚୟ ପ୍ରଦାନ କରିଛି।” ବିଶିଷ୍ଟ ସ୍ତମ୍ଭକାର କେଦାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ବିଶିଷ୍ଟ ସାହିତ୍ୟିକ ମନୋରମ ବିଶ୍ୱାଳ ମହାପାତ୍ର, ପ୍ରକାଶ ଦାସ , ପ୍ରକାଶ ମହାପାତ୍ର , ସରୋଜିନୀ ପାଣି , ଶୁଭଶ୍ରୀ ଲେଙ୍କା , ଇନ୍ଦିରା ଦତ୍ତ , ଶୃତକୀର୍ତ୍ତି ତ୍ରିପାଠୀ, ଭାଗ୍ୟଲିପି ମଲ୍ଲ ପ୍ରସନ୍ନ ମିଶ୍ରଙ୍କ କବିତା ପାଠ କରିଥିଲେ । ବିଶିଷ୍ଟ କବି ପ୍ରକାଶ ମହାପାତ୍ର ବଂଶୀବାଦନ କରିଥିଲେ। କବି କନ୍ୟା ପ୍ରଚୀତାରା ପ୍ରସନ୍ନ ମିଶ୍ରଙ୍କ ଗଳ୍ପ ପରିବେଷଣ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।