Latest Odisha News

ଗୁଣସାଗର ଦାଶଙ୍କ କବିତା ସଙ୍କଳନ ‘ଭୂମିରୁ ଭୂମାକୁ’ ଉନ୍ମୋଚିତ

ଭୁବନେଶ୍ବର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଙ୍କଳନ ‘ଭୂମିରୁ ଭୂମା’କୁ ଉନ୍ମୋଚିତ ହୋଇଯାଇଛି। ଗିରିଜା ଶଙ୍କର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ଉଦଘାଟକ , ବିଶିଷ୍ଟ କବି ପ୍ରସନ୍ନ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ଭାଷାବିତ୍ ଦେବାଶିଷ ମହାପାତ୍ର ଆଲୋଚକ ଭାବରେ ଯୋଗ ଦେଇଥିଲେ।

ଜଣେ ଚକ୍ଷୁ ବିଶେଷଜ୍ଞ ଭାବରେ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷକୁ ଛୁଇଁଥିବା ଶ୍ରୀ ଦାଶ ସାହିତ୍ୟ ସର୍ଜନାରେ ମଧ୍ଯ ଶୀର୍ଷକୁ ଛୁଇଁଛନ୍ତି ଏବଂ ଭାବ ଓ ଭାଷାର ସମନ୍ୱୟରେ ରଚିତ ସମସ୍ତ କବିତା ଆତ୍ମିକ ଓ ଆଙ୍ଗିକ ଉଭୟ ଦୃଷ୍ଟିରୁ ଉଚ୍ଚକୋଟୀର। କବିତାଗୁଡ଼ିକ ଦୁର୍ବୋଧ୍ୟ ନହୋଇ ସରଳ ଓ ସାବଲୀଳ ହୋଇଛି ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ।

ସୁପ୍ରିୟା ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିତ କବିତା ସଙ୍କଳନରୁ ଅତିଥିମାନଙ୍କ ଦ୍ଵାରା କବିତା ଆବୃତ୍ତି କରାଯାଇଥିଲା। ଲେଖକ ତଥା ପ୍ରକାଶକ ରାଜ କିଶୋର ଦାସଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନରେ ଆରମ୍ଭ ହୋଇଥିବା ଏହି ସାରସ୍ବତ ଉତ୍ସବର ପରିଶେଷରେ କବି ଦୁର୍ଗା ଚରଣ ଷଡ଼ଙ୍ଗୀ ଧନ୍ଯବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ର, କବି ଭିକାରୀ ଧଳ, ଗାଳ୍ପିକ ରମେଶ ପଟ୍ଟନାୟକ, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକା ଶ୍ରୁତକିର୍ତ୍ତୀ ତ୍ରିପାଠୀ ଓ ଅମିତାଭ ଖିଲାରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.